ଝାରସୁଗୁଡ଼ାରେ ନୂତନ ପ୍ରେସ ଗୃହ ଉଦ୍ଘାଟିତ; ସାମ୍ବାଦିକଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ
ଝାରସୁଗୁଡ଼ାରେ ନୂତନ ପ୍ରେସ ଗୃହ ଉଦ୍ଘାଟିତ; ସାମ୍ବାଦିକଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ
ଝାରସୁଗୁଡ଼ା, ୨୭/୭ (ଓଡ଼ିଶା ନ୍ୟୁଜ୍)ଝାରସୁଗୁଡ଼ା ଜିଲ୍ଲାର ଗଣମାଧ୍ୟମ କ୍ଷେତ୍ର ପାଇଁ ଆଜି ଏକ ଐତିହାସିକ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଆଧୁନିକ ପ୍ରେସ ଗୃହକୁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଫିତା କାଟି ଉଦ୍ଘାଟନ କରିଥିଲେ। ବହୁ ଦିନରୁ ସାମ୍ବାଦିକମାନଙ୍କ ପକ୍ଷରୁ ଉଠୁଥିବା ପୃଥକ ପ୍ରେସ ଗୃହ ଦାବିକୁ ଜିଲ୍ଲା ପ୍ରଶାସନ ପୂରଣ କରି ଥିବାରୁ ସାମ୍ବାଦିକ ମହଳରେ ଆନନ୍ଦ ପ୍ରକାଶ ପାଇଛି।
ଉଦ୍ଘାଟନ ପୂର୍ବରୁ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଉପସ୍ଥିତ ଥିଲେ। ଉଦ୍ଘାଟନ ପରେ ଜିଲ୍ଲାପାଳ ପ୍ରେସ ଗୃହର ପରିଦର୍ଶନ କରି ସାମ୍ବାଦିକ ମାନଙ୍କ ସହ ମତ ବିନିମୟ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଏକ ସଶକ୍ତ ସ୍ତମ୍ଭ । ସଠିକ୍, ନିରପେକ୍ଷ ଓ ଦାୟିତ୍ୱବୋଧ ସହିତ ସୂଚନା ପରିବେଷଣ କରିବାରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ନବନିର୍ମିତ ପ୍ରେସ ଗୃହ ସାମ୍ବାଦିକ ମାନଙ୍କୁ ଖବର ସଂଗ୍ରହ, ପ୍ରସ୍ତୁତି, ସମନ୍ୱୟ, ବୈଠକ ଏବଂ ପ୍ରଶାସନିକ କାର୍ଯ୍ୟକ୍ରମର କଭରେଜ୍ରେ ଅଧିକ ସୁବିଧା ଯୋଗାଇବ ବୋଲି ସେ କହିଥିଲେ। ସେ ଜନସ୍ୱାର୍ଥ ଓ ବିକାଶ ମୂଳକ ସମ୍ବାଦକୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଗଣମାଧ୍ୟମର ଗଠନ ମୂଳକ ସହଯୋଗ କାମନା କରିଥିଲେ।
ଏହି ପରିପେକ୍ଷୀରେ ଅବସରପ୍ରାପ୍ତ ଲୋକସମ୍ପର୍କ ଅଧିକାରୀ ଅଜୟ ଜେନା ଏବଂ ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି ଓ ଉପନ ସାହୁଙ୍କୁ ସାମ୍ବାଦିକତା ଏବଂ ସମାଜ ପ୍ରତି ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।
ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସାମ୍ବାଦିକ ମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେମାନଙ୍କ ମତରେ, ଏହି ପ୍ରେସ ଗୃହ କେବଳ ଏକ ଭବନ ନୁହେଁ, ବରଂ ସାମ୍ବାଦିକଙ୍କ ବୃତ୍ତିଗତ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବାର ଏକ ସକାରାତ୍ମକ ମଞ୍ଚ।
ଆଜିର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତି, କାର୍ଯ୍ୟକାରୀ ସଭାପତି ପ୍ୟାରେଲାଲ ଶ୍ରୀବାସ୍ତବ, ସାଧାରଣ ସମ୍ପାଦକ ଭରତ ପାତ୍ର, ସମ୍ପାଦକ ପ୍ରୀତମ ପଣ୍ଡାଙ୍କ ସମେତ ବସନ୍ତ ଜେନା, ରବି ନାରାୟଣ ସାହୁ, ଅନୀଲ ଅଗ୍ରୱାଲ, ଉମାକାନ୍ତ ପଣ୍ଡା, ରାଜୀବ ସିଂ, ମହେନ୍ଦ୍ର ସାଏ, ତ୍ରିଲୋଚନ ଦାସ, ବିଜୟ ସାହୁ, ଅନିଲ ମହାରଣା, ଜିତେନ୍ଦ୍ର ସାହୁ, ଦେବୁନ ବକ୍ସି, ବିକ୍ରମ ମହାପାତ୍ର, ଡିଲେଶ୍ୱର ବାଗ, ବବ୍ଲି ବେସନ, ନିରଞ୍ଜନ ପଟେଲ ପ୍ରମୁଖଙ୍କ ସହ ଜିଲ୍ଲାର ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ୍ ମିଡିଆର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।
ନୂତନ ପ୍ରେସ ଗୃହର ଉଦ୍ଘାଟନ ଝାରସୁଗୁଡ଼ା ଜିଲ୍ଲାରେ ଗଣମାଧ୍ୟମର ବିକାଶ, ସାମ୍ବାଦିକଙ୍କ ବୃତ୍ତିଗତ ପରିବେଶର ଉନ୍ନତି ଏବଂ ପ୍ରଶାସନ–ଗଣମାଧ୍ୟମ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।

