ନବନିର୍ମିତ ଗୁର୍ଜିପାଲି ବ୍ରିଜ୍ରେ ଧସିଲା ମାଟି: ସୂଚନା ଫଳକ ଗାଏବ, ବିପଜ୍ଜନକ ଅବସ୍ଥାରେ ଯାତାୟାତ
ଜମନକିରା : ଜମନକିରା ବ୍ଲକ୍ ଫାଶିମାଳ ରୁ କୁଚିଣ୍ଡା କୁ ଯାଇଥିବା ରାସ୍ତା ଗୁର୍ଜିପାଲି ନିକଟରେ ହୋଇଥିବା ପୋଲ। ଚଳିତ ବର୍ଷ ନୂଆ କରି ନିର୍ମାଣ ହୋଇଥିବା ଗୁର୍ଜିପାଲି ବ୍ରିଜ୍ର ନିର୍ମାଣ କାର୍ଯ୍ୟର ମାନକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ବ୍ରିଜ୍ର ଦୁଇ ପାର୍ଶ୍ୱରେ ମାଟି, ଗୋଡ଼ି (ଚିପ୍ସ) ଓ ଡଷ୍ଟ ଦେଇ ଫିଲିଂ କରାଯାଇଥିବା ବେଳେ ପ୍ରଥମ ବର୍ଷାରେ ହିଁ ତାହା ଧସି ଯାଇଥିବା ଦେଖିବାକୁ ମିଳିଛି।
ପ୍ରାପ୍ତ ଖବର ଅନୁଯାୟୀ, ବ୍ରିଜ୍ର ଡାହାଣ ପଟେ ପାଖାପାଖି ୧ ଫୁଟ୍ ଏବଂ ବାମ ପଟେ ଅଧା ଫୁଟ୍ ପର୍ଯ୍ୟନ୍ତ ମାଟି ଖସି ନିଚ୍ଛାଟ ହୋଇ ଦବି ଯାଇଛି। ଫଳରେ ରାସ୍ତାର ଚଉଡ଼ା କମିଯାଇ ଗାଡ଼ି ଚଳାଚଳ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ସୂଚନା ଫଳକ ନଥିବାରୁ କେଉଁ ବିଭାଗର କାମ ଜାଣିବା ଅସମ୍ଭବ ହୋଇ ପଡୁଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ନିର୍ମାଣ ସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଯାହାକି ବ୍ରିଜ୍ ଟି କେଉଁ ବିଭାଗ, ଯେପରିକି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ନିର୍ମାଣ ବିଭାଗ କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ନିର୍ମିତ ହୋଇଛି, ସେ ସମ୍ପର୍କରେ ସାଧାରଣ ଲୋକ କିଛି ବି ଜାଣିପାରୁ ନାହାନ୍ତି। ସୂଚନା ଫଳକ ନଥିବାରୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ବାରି ହୋଇପଡ଼ୁଛି। ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି ଏହି ରାସ୍ତା
ବ୍ରିଜ୍ର ମଝି ରାସ୍ତାରେ ଯଦି କୌଣସି ବସ୍, ଟ୍ରକ୍ କିମ୍ବା ହାଇୱା ଭଳି ଭାରୀ ଯାନ ଯାତାୟାତ କରେ, ତେବେ ସାଇଡ୍ରେ କୌଣସି ବାଇକ୍ କିମ୍ବା କାର୍ ଚାଳକ ଅତିକ୍ରମ କରିବା ଆଦୌ ସମ୍ଭବ ହେଉନାହିଁ। ମାଟି ଦବି ଯାଇଥିବାରୁ ଗାଡ଼ି ସାଇଡ୍ କରିବାକୁ ଗଲେ ଓଲଟି ପଡ଼ିବାର ପ୍ରବଳ ଭୟ ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଅସାବଧାନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ବଡ଼ ଧରଣର ଅପ୍ରୀତିକର ଦୁର୍ଘଟଣା ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବ୍ରିଜ୍ର ଦୁଇ ପାର୍ଶ୍ୱକୁ ସୁରକ୍ଷିତ ଭାବେ ମରାମତି କରିବାକୁ ଦାବି ହୋଇଛି।

