ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉନ୍ନତିକରଣରେ ଅନିୟମିତତା: ନା ଅଛି ସୂଚନା ଫଳକ, ନା ଦାୟିତ୍ୱ ନେଉଛନ୍ତି ବିଭାଗ; ଉଚ୍ଚସ୍ତରୀୟ ତଦନ୍ତ ଦାବି
ଜମନକିରା : ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)ର ଉନ୍ନତିକରଣ କାର୍ଯ୍ୟକୁ ନେଇ ଏବେ ଅଞ୍ଚଳରେ ତୀବ୍ର ସନ୍ଦେହ ଓ ଅସନ୍ତୋଷ ପ୍ରକାଶ ପାଉଛି। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଏବଂ ଅଭିଯୋଗ ପରେ ସରକାର ଓ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସୁଧାରିବା ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲା। ମାତ୍ର ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟର ଆରମ୍ଭ ମାସାଧିକ ସମୟ ହୋଇ ଯାଇଥିଲେ ସୁଦ୍ଧା କାର୍ଯ୍ୟ କରାଉଥିବା ସମ୍ପୃକ୍ତ ବିଭାଗ ଏବଂ ଠିକା ସଂସ୍ଥା ମନଇଚ୍ଛା ଓ ନିୟମ କାନୁନକୁ ଜଳାଞ୍ଜଳି ଦେଇ କାମ କରୁଥିବା ଅଭିଯୋଗ ହେଉଛି। ସରକାରୀ ନିୟମାନୁସାରେ ଯେକୌଣସି ନିର୍ମାଣ କିମ୍ବା ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ଗୋଟିଏ ‘ସୂଚନା ଫଳକ’ ଲଗାଯିବା ବାଧ୍ୟତାମୂଳକ। ଏହି ଫଳକରେ ପ୍ରକଳ୍ପର ନାମ, ଅନୁମୋଦିତ ଅର୍ଥରାଶି, କାର୍ଯ୍ୟ ଆରମ୍ଭ ଓ ଶେଷ ହେବାର ତାରିଖ, କାର୍ଯ୍ୟର ବିବରଣୀ, କାର୍ଯ୍ୟକାରୀ ବିଭାଗ ଏବଂ ଠିକାଦାରଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା କଥା। ମାତ୍ର କାମ ଆରମ୍ଭ ହେବାର ଆଜକୁ ୨ମାସ ରୁ ଅଧିକ ସମୟ ବିତିଯାଇଛି। କିନ୍ତୁ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏପରି କୌଣସି ସୂଚନା ଫଳକ ଦେଖିବାକୁ ମିଳୁନାହିଁ। ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ (NRHM) ଓ ଗ୍ରାମ୍ୟ ନିର୍ମାଣ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚଲାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ଏହି ନିର୍ମାଣ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଏ ସଂକ୍ରାନ୍ତରେ NRHM (ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ) ବିଭାଗ ଅଧିକାରୀ ଡିପିଏମ ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ପଚାରିବାରୁ, ଏହି କାର୍ଯ୍ୟ ‘ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ’ (Rural Works Division) ଦ୍ୱାରା କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ, ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦାସଙ୍କ କହିବା କଥା ଯେ, ଏହି କାମ NRHM ବିଭାଗ ଅଧିକାରୀ ବୁଝାବୁଝି କରୁଛନ୍ତି। ଦୁଇ ବିଭାଗ ପରସ୍ପର ଉପରକୁ ଦାୟିତ୍ୱ ଫିଙ୍ଗି ଦେଇ ଖସିଯିବାକୁ ଚେଷ୍ଟା କରୁଥିବାରୁ, ପ୍ରକୃତରେ କିଏ ସତ କହୁଛି ଏବଂ କିଏ ମିଛ କହୁଛି, ତାହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ଓ ସନ୍ଦେହ ଜାତ ହେଉଛି। କାମର ପଛରେ କେଉଁ ବିଭାଗର କେଉଁ ଅଧିକାରୀ ଅଛନ୍ତି, ତାହା ରହସ୍ୟ ଘେରରେ ରହିଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶ୍ରମିକମାନେ ପେଭର ବ୍ଲକ ବିଛାଇବା ଏବଂ ଚାରିପାଖରେ ଇଟା କାମ କରୁଛନ୍ତି। ଏଥିସହ ସ୍ୱାସ୍ଥ୍ୟ କେନ୍ଦ୍ର ବାହାର ଛାତ ଉପରି ଭାଗରେ ଟିଣ ଛାତ ଓ ଲୁହା ଫ୍ରେମ୍ ନିର୍ମାଣ କରାଯାଇଛି। ଭିତରେ ପୁଟ୍ଟି କାମ ଚାଲିଛି। ମାତ୍ର ବିଭାଗୀୟ ନଜର ଓ ଉତ୍ତରଦାୟିତ୍ୱ ଅଭାବରୁ କାର୍ଯ୍ୟର ମାନ ଓ ସ୍ୱଚ୍ଛତା ନେଇ ବ୍ୟାପକ ପ୍ରଶ୍ନ ଉଠୁଛି। ସୂଚନା ଫଳକ ବିନା କାମ ହେବା ଏବଂ ବିଭାଗ ଗୁଡ଼ିକର ଏପରି ଦାୟିତ୍ୱହୀନ ମନୋଭାବ କାରଣରୁ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ହେଉଥିବା ସନ୍ଦେହ କରାଯାଉଛି। ଏଣୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କାମର ସ୍ୱଚ୍ଛତା ପ୍ରକାଶ କରିବାକୁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି କରିଛନ୍ତି।

