Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ ଟ୍ରାଜେଡି: ଉଦ୍ଧାରକାର୍ଯ୍ୟ ସରିଲା କହିଲେ ରେଳ ମନ୍ତ୍ରୀ, ଏହି ରୁଟରେ ନଥିଲା ‘କବଚ’ ସିଷ୍ଟମ

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ହୃଦୟଥରା ରେଳ ଦୁର୍ଘଟଣାରେ ପୂରା ଦେଶ ସ୍ତବ୍ଧ। ଗୋଟିଏ ମାଲବାହୀ ଏବଂ ୨ଟି ଏକ୍ସପ୍ରେସ୍ ମଧ୍ୟରେ ଭୀଷଣ ଧକ୍କାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ଘଟିଛି। ଦୁର୍ଘଟଣାରେ ୯୦୦ରୁ ଅଧିକ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ଟ୍ରେନ ଦୁର୍ଘଟଣାର ଉଦ୍ଧାରକାର୍ଯ୍ୟ ସରିଥିବା ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଉଦ୍ଧାର କାର‌୍ୟ୍ୟ ସରିବା ପରେ ମରାମତି କାମ ଆରମ୍ଭ ହୋଇ ଯାଇଛି। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଭବିଷ୍ୟତରେ ଯେମିତି ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

ରେଲଓ୍ଵେର ମୁଖପାତ୍ର ଅମିତାଭ ଶର୍ମା ରେସ୍କ୍ୟୁ ଅପରେସନ ସରିଥିବା କହିଛନ୍ତି। ବର୍ତ୍ତମାନ ମରାମତି କାମ ଜାରି ରହିଛି। ଏହା ମଧ୍ୟରେ ରେଲଓ୍ଵେର କବଚ ସିଷ୍ଟମକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି।ଏହା ଉପରେ ରେଲଓ୍ଵେ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି, ଏହି ରୁଟରେ କବଚ ସିଷ୍ଟମ ଉପଲବ୍ଧ ନଥିଲା। ତେଣୁ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇ ପାରି ନାହିଁ। ଆହତଙ୍କୁ ହସ୍ପିଟାଲରେ ରେଲଓ୍ଵେ ତରଫରୁ ଆର୍ଥିକ ସହାୟତା ଦିଆଯାଉଛି। ଆହତମାନଙ୍କୁ ହସ୍ପିଟାଲରେ ୫୦-୫୦ ହଜାର ଟଙ୍କା ଦିଆଯାଉଛି।

କଣ ଏହି କବଚ ସିଷ୍ଟମ
‘କବଚ’ ସୁରକ୍ଷା ପ୍ରଣାଳୀ ଟ୍ରେନଗୁଡ଼ିକୁ ରେଡ୍ ସିଗ୍ନାଲ ପାର କରିବା ଏବଂ ଧକ୍କାରୁ ରୋକିବା ପାଇଁ ଉଦ୍ଦିଷ୍ଟ। ଯଦି କୌଣସି କାରଣବଶତଃ ଲୋକୋ ପାଇଲଟ୍ ଟ୍ରେନକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଏ ତେବେ ‘କବଚ’ ସୁରକ୍ଷା ପ୍ରଣାଳୀ ଟ୍ରେନର ବ୍ରେକିଂ ସିଷ୍ଟମକୁ ସ୍ଵତଃ ଭାବେ ଆକ୍ଟିଭ କରି ଦେଇଥାଏ। ଏହା ବ୍ୟତୀତ କବଚ ଦୁଇଟି ଇଞ୍ଜିନ ମଧ୍ୟରେ ଧକ୍କାକୁ ରୋକିବାରେ ସକ୍ଷମ। ଅର୍ଥାତ ଗୋଟିଏ ଟ୍ରାକରେ ୨ଟି ଟ୍ରେନ ମୁହାଁମୁହିଁ ସ୍ଥିତିକୁ ଆସିଲେ ମଧ୍ୟ ଦୁର୍ଘଟଣା ଘଟିବ ନାହିଁ। ବାଲେଶ୍ଵରରେ ଘଟିଥିବା ଦୁର୍ଘଟଣାକୁ ଦେଖିଲେ ଏହା ଲାଗୁଛି ଯେ, ଏ ପର୍ଯ୍ୟନ୍ତ ଏହି ରୁଟରେ କବଚ ପ୍ରଣାଳୀ ବ୍ୟବହାର କରାଯାଇ ନଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ