ଲଗାଣ ବର୍ଷାରେ ଭାଙ୍ଗିଲା ଯଏଁତରା–କର୍ଲା ରାସ୍ତା: ପ୍ରଶାସନିକ ଅବହେଳାକୁ ନେଇ ଜନସନ୍ତୋଷ, ତୁରନ୍ତ ମରାମତି ଦାବି ।
ବଲାଙ୍ଗୀର,୧।୮: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅନ୍ତର୍ଗତ ଯଏଁତରା–କର୍ଲା ରାସ୍ତାର ବାଞ୍ଜିପଦର ଗ୍ରାମ ନିକଟରେ ଗତ ୨ ଦିନ ତଳେ ହୋଇଥିବା ଲଗାଣ ବର୍ଷା ଓ ଲଘୁଚାପ ଜନିତ ବନ୍ୟା ଜଳର ସ୍ରୋତରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ପ୍ରାୟ ୨୦ ଫୁଟରୁ ଊର୍ଦ୍ଧ୍ୱ ରାସ୍ତା ଭୁଶୁଡ଼ି ପଡ଼ିବା ଫଳରେ ଏହି ପ୍ରମୁଖ ମାର୍ଗରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ, ବର୍ତ୍ତମାନ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା, ଚିକିତ୍ସା, ଶିକ୍ଷା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ପାଇଁ ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିବାକୁ ପଡ଼ୁଛି।
ଦୁଃଖ ଓ ପରିତାପର ବିଷୟ ଯେ, ଗତ ଦୁଇ ଦିନ ହେବ ଏତେ ବଡ଼ ଅସୁବିଧା ଏବଂ କ୍ଷତି ଘଟିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ରାସ୍ତା ମରାମତି ପାଇଁ ପ୍ରଶାସନିକ ସ୍ତରରେ କୌଣସି ପ୍ରାରମ୍ଭିକ ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ କୌଣସି ବଡ଼ ଧରଣର ଦୁର୍ଘଟଣା କିମ୍ବା ଜନଧନ ହାନିକୁ ଅପେକ୍ଷା କରିଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଅଞ୍ଚଳବାସୀଙ୍କ ଜୀବନ ଓ ସୁରକ୍ଷାକୁ ଆଉ ଅବହେଳା ନକରି, ସମ୍ପୃକ୍ତ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରନ୍ତୁ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।

