ଆଇ.ଟି.ଡି.ଏ କୁଚିଣ୍ଡା ଅଧୀନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା: ନାହିଁ ସୂଚନା ଫଳକ, ଯନ୍ତ୍ରୀ ଓ ଆର.ଟି.ଡି.ଏ ଅଧିକାରୀଙ୍କ ସଂପୃକ୍ତି ନେଇ ଉଠିଲା ପ୍ରଶ୍ନ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ଚାଲିଥିବା ବିଦ୍ୟାଳୟ ଗୁଡିକରେ ଅନେକ ଶ୍ରେଣୀ ଗୃହ ଓ ସଂସ୍ଥା ଦ୍ୱାରା ନିର୍ମାଣ ହେଉଥିବା ଅନେକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ବେନିୟମ କାରବାର ଅଭିଯୋଗ ହେଉଛି। ପ୍ରକଳ୍ପ ସ୍ଥଳରେ କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ (Information Board) ନଥାଇ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସମ୍ପୃକ୍ତ ନିର୍ମାଣ କାର୍ଯ୍ୟ ଗୁଡିକରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆର.ଟି.ଡି.ଏ ର ସମ୍ପୃକ୍ତ ଅଧିକାରୀମାନଙ୍କ ମିଶାମିଶି ଓ ଅନୁକମ୍ପା ରହିଥିବା ନେଇ ବଳିଷ୍ଠ ସନ୍ଦେହ ସୃଷ୍ଟି ହୋଇଛି। ସରକାରୀ ନିୟମାନୁସାରେ ପ୍ରତ୍ୟେକ ନିର୍ମାଣ ସ୍ଥଳରେ ପ୍ରକଳ୍ପର ନାମ, ଅନୁମୋଦିତ ଅର୍ଥରାଶି, କାର୍ଯ୍ୟାରମ୍ଭ ଓ କାର୍ଯ୍ୟ ଶେଷର ତାରିଖ, ନିର୍ମାଣକାରୀ ସଂସ୍ଥା ଏଵଂ ଠିକାଦାରଙ୍କ ନାମ ଉଲ୍ଲେଖ ଥିବା ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ। ମାତ୍ର ଷଣ୍ଢପଥର ସେବାଶ୍ରମରେ ନିର୍ମାଣାଧୀନ ଥିବା ଦୁଇଟି ଶ୍ରେଣୀ କୋଠରୀ ନିର୍ମାଣରେ ଏହାର ସମ୍ପୂର୍ଣ୍ଣ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ କୌଣସି ସୂଚନା ବୋର୍ଡ ନଲଗାଇ ମନୋମୁଖୀ ଭାବେ କାମ ଚାଲିଥିଲେ ବି ବିଭାଗୀୟ ଅଧିକାରୀ ଓ ନିରୀକ୍ଷଣକାରୀ ଟିମ୍ କିପରି ଚୁପ୍ ରହିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ପାଣ୍ଠିର ଦୁରୁପଯୋଗ ଓ ସ୍ୱଚ୍ଛତା ଗାଏବ ନେଇ ସାଧାରଣରେ ସନ୍ଧେହ ସୃଷ୍ଟି କରୁଛି। ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ପରୋକ୍ଷ ସହଯୋଗ ଓ ମଧୁଚନ୍ଦ୍ରିକା ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ପ୍ରକଳ୍ପ ସ୍ଥଳରୁ ମିଳିଥିବା ଚିତ୍ର ଅନୁଯାୟୀ, ଗୋଟିଏ କୋଠରୀର ଛାତ ପଡ଼ି ସାରିଥିବା ବେଳେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ନିର୍ମାଣାଧୀନ ଶ୍ରେଣୀ ଗୃହଟି ମୁଖ୍ୟ ରାସ୍ତା ତୁଳନାରେ ଖାଲୁଆ ଓ ତଳ ସ୍ତରରେ ନିର୍ମାଣ କରାଯାଇଛି। ଅନ୍ୟ ଏକ ଶ୍ରେଣୀ ଗୃହର କାମ ପ୍ଲିନ୍ଥ ଓ ସ୍ୱଳ୍ପ ଉଚ୍ଚତାର ଇଟା ଗାନ୍ଥେଣି ପର୍ଯ୍ୟନ୍ତ ସରିଯାଇଥିବା ବେଳେ ବହୁ କାର୍ଯ୍ୟ ବାକି ରହିଛି। ଏବେ ସ୍କୁଲ ଖୋଲି ଯାଇଥିବା ବେଳେ ପ୍ରାୟ ୨୬୦ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନରତ ଅଛନ୍ତି। ପାଠ ପଢ଼ିବା ପାଇଁ ବହୁ ସମସ୍ୟା ଦେଖା ଯାଉଛି। ଅନ୍ୟ ପଟେ ରାସ୍ତା ଠାରୁ ଶ୍ରେଣୀ ଗୃହ ବହୁ ତଳେ ଥିବାରୁ ବର୍ଷା ଦିନେ ଜଳ ନିଷ୍କାସନ ନହୋଇ ବର୍ଷା ଜଳ ଓ କାଦୁଅ ସ୍କୁଲ ମଧ୍ୟରେ ଜମି ରହିଛି। ଖୋଲା ଆକାଶ ତଳେ ରଡ୍ ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହେଉଛି। ଏପରି ନିମ୍ନମାନର କାମ ଦେଖି ମଧ୍ୟ ବିଭାଗ ଅଧିକାରୀମାନେ ନଜର ଅନ୍ଦାଜ କରିବା ଏହି ନିର୍ମାଣରେ ସେମାନଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତିକୁ ଦର୍ଶାଉଛି।ଇଟା, ସିମେଣ୍ଟ ଓ ରଡ୍ର ନିମ୍ନ ଗୁଣବତ୍ତା ଏବଂ ସ୍ଥାନ ଚୟନରେ ତ୍ରୁଟି ଯୋଗୁଁ କୋଠରୀର ସ୍ଥାୟିତ୍ୱ ନେଇ ଗୁରୁତର ସନ୍ଦେହ ଦେଖାଦେଇଛି, ଯାହା ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ।
ଏଣୁ, ଜିଲ୍ଲା ପ୍ରଶାସନ ଓ ନିର୍ମାଣ ବିଭାଗର ଉଚ୍ଚସ୍ତରୀୟ ଟିମ୍ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ନିର୍ମାଣର ଗୁଣବତ୍ତା ଯାଞ୍ଚ କରିବା ସହ ସୂଚନା ଫଳକ ନଲଗାଇ କାମ କରୁଥିବା ଠିକାଦାର ଏବଂ ଏହି ଅନିୟମିତତାକୁ ପ୍ରଶ୍ରୟ ଦେଉଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ ଦଣ୍ଡାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।
ଏସଂକ୍ରାନ୍ତରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗୋପୀନାଥ କାଲୋଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଦେଢ଼ମାସ ହେଲା ଯଏନ କରିଛନ୍ତି, ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ ବୋଲି କହିଥିଲେ।

