ବଲାଙ୍ଗୀର: କଣ୍ଟାବାଞ୍ଜି ଡିକି ଭଙ୍ଗା ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର; ବ୍ୟାଙ୍କ ଭିତରୁ ପିଛା କରିଥିଲେ ଦୁର୍ବୃତ୍ତ ।
ବଲାଙ୍ଗୀର,୨।୮: କଣ୍ଟାବାଞ୍ଜି ସହରରେ ମାତିଛନ୍ତି ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗ। ଦିନଦ୍ୱିପ୍ରହରରେ ଏସଏଚଜି (SHG) ମହିଳାଙ୍କ ଗାଡ଼ି ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟି ନେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତଦନ୍ତରୁ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି—ଗ୍ରାହକ ସାଜି ବ୍ୟାଙ୍କ ଭିତରେ ଓଲିଆଉଥିବା ଚୋର ହିଁ ଏହି ଲୁଟ୍ର ମାଷ୍ଟରମାଇଣ୍ଡ!
ମିଳିଥିବା ସୂଚନା ଅନୁଯାୟୀ, ତୁରେକେଲା ବ୍ଲକ କୁଇବାହାଲ ଗ୍ରାମର ‘ତ୍ରିବେଣୀ ଏସଏଚଜି’ ଗ୍ରୁପ୍ର ସଦସ୍ୟାମାନେ ଟଙ୍କା ଉଠାଉଥିବା ସମୟରେ ହିଁ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟ ଗ୍ରାହକ ଭାବେ ବ୍ୟାଙ୍କ ଭିତରେ ଉପସ୍ଥିତ ଥିଲା। ମହିଳାମାନେ ୫୦ ହଜାର ଟଙ୍କା ଉଠାଇ ବ୍ୟାଗ୍ରେ ରଖିବା ଦୃଶ୍ୟକୁ ସେ ଲକ୍ଷ୍ୟ କରିଥିଲା ଏବଂ ବାହାରେ ଥିବା ନିଜ ସହଯୋଗୀଙ୍କୁ ସଙ୍କେତ ଦେଇଥିଲା।
ବ୍ୟାଙ୍କରୁ ବାହାରି ମହିଳାମାନେ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଗାଡ଼ି ଡିକିରେ ରଖି ଘରକୁ ଫେରୁଥିଲେ। କଣ୍ଟାବାଞ୍ଜି ଦୁଇ ନମ୍ବର ରୋଡ୍ ନିକଟରେ ସେମାନେ ଝାଳମୁଢ଼ି ଖାଉଥିବା ସୁଯୋଗ ନେଇ, ପୂର୍ବରୁ ପିଛା କରୁଥିବା ୪ ଜଣ ସନ୍ଦିଗ୍ଧ ଲୁଟେରା ଦୁଇଟି ମୋଟରସାଇକେଲରେ ଆସି ପହଞ୍ଚିଥିଲେ। କେହି କିଛି ଭାବିବା ଆଗରୁ ନିମିଷକ ମଧ୍ୟରେ ଗାଡ଼ି ଡିକି ଭାଙ୍ଗି ଟଙ୍କା ବ୍ୟାଗ୍ ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏହି ସମ୍ପୂର୍ଣ୍ଣ ଚୋରି ଘଟଣାର ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ ସ୍ପଷ୍ଟ ଭାବେ କଏଦ ହୋଇଛି। କଣ୍ଟାବାଞ୍ଜି ପୋଲିସ ସିସିଟିଭି ଫୁଟେଜ୍କୁ କବ୍ଜା କରି ଲୁଟେରାଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ଦୁର୍ବୃତ୍ତମାନେ କେଉଁ ଆଡ଼କୁ ଫେରାର ହୋଇଛନ୍ତି, ସେହି ସମ୍ଭାବ୍ୟ ରୁଟ୍ଗୁଡ଼ିକରେ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।
ବାରମ୍ବାର ଏଭଳି ଗାଡ଼ି ଡିକି ଭାଙ୍ଗି ଲୁଟ୍ ହେଉଥିବାରୁ କଣ୍ଟାବାଞ୍ଜି ସହର ଓ ଆସପାସ ଅଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କୁ ଟାର୍ଗେଟ୍ କରୁଥିବା ଏହି ଆନ୍ତଃଜିଲ୍ଲା କିମ୍ବା ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

