ଟିକିଲିପଡ଼ା ସେବାଶ୍ରମ ଓ କନ୍ୟାଶ୍ରମରେ ମାଙ୍କଡ଼ଙ୍କ ଆତଙ୍କ: ସରପଞ୍ଚ, ଶିକ୍ଷକ ଓ ଛାତ୍ରୀଙ୍କ ସମେତ ଏକାଧିକ ଆହତ; ଖୁବ୍ଶୀଘ୍ର ସ୍କ୍ୱାଡ୍ ପଠାଯିବ: ଡିଏଫଓ
ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ଅଞ୍ଚଳରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଓ ଉପଦ୍ରବ ଦିନକୁ ଦିନ ଅସମ୍ଭାଳ ରୂପ ଧାରଣ କରିବାରେ ଲାଗିଛି। ବିଶେଷ କରି ଟିକିଲିପଡ଼ା ଏସଏସଡି ସରକାରୀ ସେବାଶ୍ରମ ସ୍କୁଲ ଓ କନ୍ୟାଶ୍ରମ ପରିସରରେ ମାଙ୍କଡ଼ ଦଳଙ୍କ ଦୌରାତ୍ମ୍ୟ ଯୋଗୁଁ ଆତଙ୍କରାଜ ସୃଷ୍ଟି ହୋଇଛି। ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, କନ୍ୟାଶ୍ରମର ଅନ୍ତେବାସୀ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଭିଭାବକମାନେ ଏବେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ସୀମା ପ୍ରାଚୀରରେ ମାଙ୍କଡ଼ଙ୍କ ଡେରା, ବାଧାପ୍ରାପ୍ତ ହେଉଛି ପାଠପଢ଼ା।
ମିଳିଥିବା ସୂଚନା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦଳବଦ୍ଧ ମାଙ୍କଡ଼ମାନେ ସ୍କୁଲର ଚାରିପାଖ ସୀମା ପ୍ରାଚୀର (Boundary Wall), ଛାତ, ହଷ୍ଟେଲ ଏବଂ ଶ୍ରେଣୀଗୃହ ବାହାରେ ଡେରା ଜମାଉଛନ୍ତି। ଏହାଦ୍ୱାରା କନ୍ୟାଶ୍ରମର ଛାତ୍ରୀମାନେ ନିଜ ନିଜ ରୁମ୍ରୁ ବାହାରିବା ଏବଂ ସ୍କୁଲକୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିଛି। ମାଙ୍କଡ଼ଙ୍କ ଭୟରେ ସ୍କୁଲରେ ଶିକ୍ଷାଦାନ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ସରପଞ୍ଚଙ୍କ ସମେତ ଏକାଧିକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି, ହିଂସ୍ର ହୋଇ ପଡ଼ିଥିବା ଏହି ମାଙ୍କଡ଼ମାନେ ସାମ୍ନାକୁ ଆସୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି। ମାଙ୍କଡ଼ଙ୍କ କାମୁଡ଼ା ଓ ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଆହତ ହୋଇଥିବା ପ୍ରମୁଖ ବ୍ୟକ୍ତିମାନେ ହେଲେ, ଅଜିତ ନାୟକ, ସ୍ଥାନୀୟ ସରପଞ୍ଚ, ମୋହନ ଏହାଦାର, ସ୍କୁଲ ଶିକ୍ଷକ, ଜିଂଜ୍ଞାସା ମିର୍ଦ୍ଧା ସ୍କୁଲ ଛାତ୍ରୀ, ସଂଯୁକ୍ତା ନାୟକ, ଛାତ୍ରୀ ମାନଙ୍କ ମେଟ୍ରନ, ଏହା ବ୍ୟତୀତ ପିଲାଙ୍କୁ ଛାଡ଼ିବାକୁ ଆସୁଥିବା କେତେକ ଅଭିଭାବକ ମଧ୍ୟ ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି।
ଏ ସଂକ୍ରାନ୍ତରେ ବାମରା ଡିଏଫଓ ବିକ୍ରମ କେଶରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରି ପଚାରିବାରୁ, ସେ ସ୍ଥିତିର ଗାମ୍ଭୀର୍ଯ୍ୟକୁ ସ୍ୱୀକାର କରିଛନ୍ତି। ମାଙ୍କଡ଼ମାନଙ୍କୁ ପ୍ରତିରୋଧ କରିବା ଏବଂ ସ୍କୁଲ ପରିସରରୁ ସେମାନଙ୍କୁ ତଡ଼ିବା ପାଇଁ ଖୁବ୍ଶୀଘ୍ର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଶାସନର ଏହି ଆଶ୍ୱାସନା ପରେ ସ୍ଥାନୀୟ ଲୋକେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଅପେକ୍ଷା କରିଛନ୍ତି।

