ଟିକିଲିପଡ଼ା ସେବାଶ୍ରମ ଓ କନ୍ୟାଶ୍ରମରେ ମାଙ୍କଡ଼ ଆତଙ୍କ: ତଡ଼ିବା ପାଇଁ ୫ ଜଣିଆ ବନ ଟିମ୍ ମୁତୟନ
ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ଅଞ୍ଚଳରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଓ ଉପଦ୍ରବ ଦିନକୁ ଦିନ ଅସମ୍ଭାଳ ରୂପ ଧାରଣ କରିବାରେ ଲାଗିଛି। ବିଶେଷ କରି ଟିକିଲିପଡ଼ା ଏସଏସଡି ସରକାରୀ ସେବାଶ୍ରମ ସ୍କୁଲ ଓ କନ୍ୟାଶ୍ରମ ପରିସରରେ ମାଙ୍କଡ଼ ଦଳଙ୍କ ଦୌରାତ୍ମ୍ୟ ଯୋଗୁଁ ଆତଙ୍କରାଜ ସୃଷ୍ଟି ହୋଇଛି। ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, କନ୍ୟାଶ୍ରମର ଅନ୍ତେବାସୀ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଭିଭାବକମାନେ ଏବେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ।
ମିଳିଥିବା ସୂଚନା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦଳବଦ୍ଧ ମାଙ୍କଡ଼ମାନେ ସ୍କୁଲର ଚାରିପାଖ ସୀମା ପାଚେରୀ ଛାତ, ହଷ୍ଟେଲ ଏବଂ ଶ୍ରେଣୀଗୃହ ବାହାରେ ଡେରା ଜମାଉଛନ୍ତି। ଏହାଦ୍ୱାରା କନ୍ୟାଶ୍ରମର ଛାତ୍ରୀମାନେ ନିଜ ନିଜ ରୁମ୍ରୁ ବାହାରିବା ଏବଂ ସ୍କୁଲକୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିଛି। ମାଙ୍କଡ଼ଙ୍କ ଭୟରେ ସ୍କୁଲରେ ଶିକ୍ଷାଦାନ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ହିଂସ୍ର ହୋଇ ପଡ଼ିଥିବା ଏହି ମାଙ୍କଡ଼ମାନେ ସାମ୍ନାକୁ ଆସୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି। ମାଙ୍କଡ଼ଙ୍କ କାମୁଡ଼ା ଓ ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଅଜିତ ନାୟକ, ସ୍କୁଲ ଶିକ୍ଷକ ମୋହନ ଏହାଦାର, ସ୍କୁଲ ଛାତ୍ରୀ ଜିଂଜ୍ଞାସା ମିର୍ଦ୍ଧା, ଛାତ୍ରୀଙ୍କ ମେଟ୍ରନ ସଂଯୁକ୍ତା ନାୟକଙ୍କ ସମେତ ପିଲାଙ୍କୁ ଛାଡ଼ିବାକୁ ଆସୁଥିବା କେତେକ ଅଭିଭାବକ ରହିଛନ୍ତି। ବାମରା ଡିଏଫଓ ବିକ୍ରମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତକାଲି ଠାରୁ ଦୁଇ ଦିନ ହେବ ବନ ବିଭାଗ ପକ୍ଷରୁ ମାଙ୍କଡ଼ ତଡ଼ିବା ପାଇଁ ଉଦ୍ୟମ ଜାରି ରହିଛି। ଆଜି ଫରେଷ୍ଟର ଶିଶିର କୁମାର ସାମଲଙ୍କ ନେତୃତ୍ୱରେ ଏକ ୫ ଜଣିଆ ବନ ବିଭାଗ ଟିମ୍ ସ୍କୁଲ ପରିସରରେ ପହଞ୍ଚି ମୋତୟନ ହୋଇଛନ୍ତି। ସେମାନେ ସ୍କୁଲ ଓ କନ୍ୟାଶ୍ରମ ଅଞ୍ଚଳରେ ଜଗି ରହିବା ସହ ମାଙ୍କଡ଼ମାନଙ୍କୁ ସୁରକ୍ଷିତ ଭାବେ ତଡ଼ିବା ପାଇଁ ଅପରେସନ୍ ଜାରି ରଖିଛନ୍ତି। ବନ ବିଭାଗର ଏହି ତୁରନ୍ତ ପଦକ୍ଷେପ ପରେ ସ୍ଥାନୀୟ ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

