Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୨ କୋଟିର ସେତୁ ନା ବାଲିଘର ? ନିର୍ମାଣର ୨ ମାସରେ ଧୋଇଗଲା ଉଁନ୍ଦେର ପୋଲ: ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ବୁଡ଼ିଲା ୭ ପଞ୍ଚାୟତର ଭାଗ୍ୟ ।

ବଲାଙ୍ଗୀର,୬।୮: ସରକାରୀ ଅର୍ଥର ଖୋଲାଲୁଟ୍‌ ଏବଂ ଦୁର୍ନୀତିର ଆର୍କାଇଭ୍‌ରେ ଆଉ ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଟିଟଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଉପ-ବିଭାଜନ (Rural Works Division) ଅଧୀନରେ ନିର୍ମିତ ଉଁନ୍ଦେର ନଦୀ ପୋଲ ଏବେ ବିଭାଗୀୟ ଅଫିସର ଓ ଠିକାଦାରଙ୍କ କାରସାଦିର ନଗ୍ନ ଚିତ୍ର ପଦାରେ ପକାଇଛି। ପ୍ରାୟ ୧୨ କୋଟି ଟଙ୍କାର ବ୍ୟୟବରାଦରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୨ ମାସ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ଏହାର ଆନୁଷ୍ଠାନିକ ଉଦ୍‌ଘାଟନ ସୁଦ୍ଧା ହୋଇନାହିଁ। ହେଲେ ଉଦ୍‌ଘାଟନ ପୂର୍ବରୁ ହିଁ ପ୍ରଥମ ବନ୍ୟା ଜଳରେ ଏହା ଛାରଖାର ହୋଇଯାଇଛି।
ଟିଟଲାଗଡ଼ ବ୍ଲକ୍‌ର ଦିଗସରା ଗ୍ରାମ ନିକଟରେ ଉଁନ୍ଦେର ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏହା ଦିଗସରା, କୁସକେଲା, କୁରସୁଡ଼ ଭଳି ଟିଟଲାଗଡ଼ ବ୍ଲକ୍‌ର ପ୍ରାୟ ୭ଟି ପଞ୍ଚାୟତ ସମେତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ବହୁ ଗ୍ରାମବାସୀଙ୍କ ପାଇଁ ବ୍ଲକ୍‌ ମୁଖ୍ୟାଳୟ ସହ ଯୋଡ଼ିହେବାର ଏକମାତ୍ର ‘ଲାଇଫଲାଇନ୍’ ଥିଲା।
ନିର୍ମାଣ ଶେଷ ହେବାର ମାତ୍ର ଦୁଇ ମାସ ମଧ୍ୟରେ ପୋଲର ଆପ୍ରୋଚ୍‌ ରୋଡ୍‌ (Approach Road) ସମ୍ପୂର୍ଣ୍ଣ ଧୋଇଯିବା ସହ ଗାର୍ଡ ୱାଲ୍‌ (Guard Wall) ଏବଂ ଅନ୍ୟାନ୍ୟ ଅଂଶ ଭାଙ୍ଗିରୁଜି ଯାଇଛି। ଫଳରେ ଏହି ୧୨ କୋଟି ଟଙ୍କାର ପୋଲ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ କୌଣସି କାମରେ ଆସୁନାହିଁ ଏବଂ ହଜାର ହଜାର ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁସାରେ, ନିର୍ମାଣ କାର୍ଯ୍ୟ ଆରମ୍ଭରୁ ହିଁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇଥିଲା। ଯେଉଁ ସ୍ଲାବ୍‌ର ଉଚ୍ଚତା ଅତିକମ୍‌ରେ ୧୨ ରୁ ୧୫ ଫୁଟ୍‌ ରହିବା କଥା, ତାହାକୁ ମାତ୍ର ୮ ଫୁଟ୍‌ରେ ଶେଷ କରିଦିଆଗଲା। ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଛାତ୍ରଛାୟାରେ ଠିକାଦାର ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ ସାରିଦେଲେ। ବନ୍ୟା ଜଳର ସାନ୍ନିଧ୍ୟ ଆସୁ ଆସୁ କଚ୍ଛା ରୂପରେ ନିର୍ମିତ ଆପ୍ରୋଚ୍‌ ରୋଡ୍‌ ଏବଂ ସେତୁର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଣିରେ ଭାସିଗଲା।
୧୨ କୋଟି ଟଙ୍କାର ଏକ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଟିଟିଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଉପ-ବିଭାଜନର ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ କାହା ସ୍ୱାର୍ଥରେ ଆଖିବୁଜି ବସିଥିଲେ ? ନିର୍ମାଣ ସମୟରେ ବିଭାଗୀୟ ତଦାରଖ କୁଆଡ଼େ ଯାଇଥିଲା ? ସ୍ଥାନୀୟ ଲୋକଙ୍କ କହିବା କଥା “ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ଅସାଧୁ ମେଣ୍ଟ ଏବଂ ପିସି କାରବାର ଯୋଗୁଁ ଆଜି ୧୨ କୋଟି ଟଙ୍କା ପାଣିରେ ପଡ଼ିଲା, ଆଉ ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।”
ଏହି ସମ୍ବେଦନଶୀଳ ଦୁର୍ନୀତି ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଟିଟିଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ (Executive Engineer) ରାଜେନ୍ଦ୍ର କୁମାର ମାଝୀଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ କୌଣସି ସ୍ପଷ୍ଟୀକରଣ ନଦେଇ “ମୁଁ ପରେ କଥା ହେଉଛି” ବୋଲି କହି କଲ୍‌ କାଟି ଦେଇଥିଲେ। ସେହିପରି ଏହି ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାର ଇଂ ମହେଶ କୁମାର ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବପର ହୋଇପାରିନାହିଁ। ଅଫିସର ଓ ଠିକାଦାରଙ୍କ ଏଭଳି ଗଣମାଧ୍ୟମ ବିମୁଖତା ଓ ଦାୟିତ୍ୱହୀନ ମନୋଭାବ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି।
ରାଜସ୍ୱ ଓ ଜନସାଧାରଣଙ୍କ ସମ୍ପତ୍ତିକୁ ଏଭଳି ହରିଲୁଟ୍‌ କରିଥିବା ସମ୍ପୃକ୍ତ ଠିକାଦାରଙ୍କୁ କଳାତାଲିକାଭୁକ୍ତ (Blacklist) କରିବା ସହ ଦାୟିତ୍ୱହୀନ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍‌ ଧରିଛି। ଏହାସହ ତୁରନ୍ତ ପୁନଃ-ଟେଣ୍ଡର କରି ସ୍ଥାୟୀ ଭାବେ ସେତୁ ଓ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories