ଜମନକିରା ୫୩ନଂ ଜାତୀୟ ରାଜପଥ ବଡ଼ରମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୬ ଗୁରୁତ୍ତର ୧୦ ଆହତ;ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା, ଫୋର୍-ଲେନ୍ (୪ ଥକିଆ) କରିବାକୁ ଅଞ୍ଚଳବାସୀଙ୍କ ଦାବି
ଜମନକିରା : ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ବଡ଼ରମା ଘାଟିରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ସମ୍ବଲପୁର ରୁ କୁଚିଣ୍ଡା ଅଭିମୁଖେ ଯାଉଥିବା ‘ଲକ୍ଷ୍ମୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଏକ ମାଲବାହୀ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୬ଜଣ ଗୁରୁତର ଥିବା ବେଳେ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଆଜି ୭ ଅଗଷ୍ଟ ୨୦୨୬ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ବଡ଼ରମା ଘାଟି ଦେଇ ଯାତ୍ରୀବାହୀ ବସଟି ଯାଉଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଟ୍ରକ୍ ସହ ତାର ଜୋରଦାର ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ ଏବଂ ଟ୍ରକ୍ ଦୁଇଟିଯାକ ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅନ୍ୟାନ୍ୟ ୪-ଲେନ୍ (ଚାରି ଥକିଆ) ରାସ୍ତା ତୁଳନାରେ ସମ୍ବଲପୁର ଗୌଡପାଳି ଠାରୁ ଜମନକିରା ପର୍ଯ୍ୟନ୍ତ ପ୍ରାୟ ୨୨ କିଲୋମିଟର ସିଙ୍ଗଲ ରୋଡ ହୋଇଥିବାରୁ ଏଠାରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଉଛି ଏବଂ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି-ମୋଟର ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଛନ୍ତି। ଉଦ୍ଧାର କାର୍ଯ୍ୟ ସରି ଗାଡ଼ିଗୁଡ଼ିକୁ ହଟାଯିବା ପରେ ଯାଇ ଯାତାୟାତ ସ୍ୱାଭାବିକ ହୋଇପାରୁଛି। ତେଣୁ ଏହି ବିପଜ୍ଜନକ ରାସ୍ତାକୁ ତୁରନ୍ତ ଚାରି ଥକିଆ (ଫୋର୍-ଲେନ୍) ରାସ୍ତାରେ ପରିଣତ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଜମନକିରା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ମେଡିକାଲକୁ ପଠାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

