ଷଣ୍ଢପଥର ଏସ ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ନିଖୋଜ ଛାତ୍ର ଉଦ୍ଧାର: ୬ ଦିନ ପରେ ପରିବାରକୁ ହସ୍ତାନ୍ତର କଲା ଜମନକିରା ପୋଲିସ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମ ସ୍କୁଲ ହଷ୍ଟେଲରୁ ନିଖୋଜ ହୋଇଥିବା ନବମ ଶ୍ରେଣୀ ଛାତ୍ର ରୋହିତ ମୁଣ୍ଡା (୧୭) ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅଇଁଠାପାଲି ଥାନା ଅନ୍ତର୍ଗତ ମେଲଚ୍ଛାମୁଣ୍ଡା ଗାଁର ରୋହିତ ଗତ ରବିବାର ସକାଳେ ସହପାଠୀଙ୍କ ସହ ଟିଫିନ କରିବା ପରେ ମଧ୍ୟାହ୍ନ ଭୋଜନ ସମୟରୁ ହଷ୍ଟେଲରୁ ଗାୟବ ହୋଇଯାଇଥିଲେ। ପ୍ରଥମ ୩ ଦିନ ପର୍ଯ୍ୟନ୍ତ କୌଣସି ସୁରାକ ନମିଳିବାରୁ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ଓ ସହପାଠୀଙ୍କୁ ପଚରାଉଚରା କରିବା ସହ ଜମନକିରା ଥାନାର ଦ୍ୱାରସ୍ଥ ହୋଇଥିଲେ। ଜମନକିରା ଥାନା ଅଧିକାରୀ ରଞ୍ଜନ ନାଗଙ୍କ ନେତୃତ୍ୱରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଛାତ୍ରଙ୍କ ମୋବାଇଲ ଫୋନର ସିଡିଆର (CDR) ଯାଞ୍ଚ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି ପରେ ୬ ଦିନ ପରେ ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଛାତ୍ରଙ୍କୁ ସଫଳତାର ସହ ଟ୍ରେସ୍ (Trace) କରିବା ପରେ ତାଙ୍କ ବାପା-ମା’ ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଛାତ୍ରଙ୍କୁ ଫେରି ପାଇ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

