Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଲ୍‌ଫିତା ଓ ଜାତି ଅହଙ୍କାର ତଳେ ମାନବିକତାର ବଳି; ଶେଷରେ ‘ମୁକ’ ନାୟକର ସାହାରା ସାଜିଲା ‘ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ’ ।

ବଲାଙ୍ଗିର, ୯।୮: ଜାତିପ୍ରଥାର ଅନ୍ଧ ଅହଙ୍କାର ପାଖରେ ପୁଣି ଥରେ ହାର୍ ମାନିଛି ରକ୍ତର ସମ୍ପର୍କ, ଆଉ ଜିତିଛି କେବଳ ସେବା ଓ ମାନବିକତା। ଜୀବିତ ଅବସ୍ଥାରେ ଯେଉଁ ପରିବାର ତ୍ୟାଗ କରିଦେଇଥିଲା, ମୃତ୍ୟୁ ପରେ ବି ମରଶରୀରକୁ ଟିକିଏ ଦୟା ଦେଖାଇଲେ ନାହିଁ ନିଜ ଲୋକ। ହେଲେ ଅସହାୟ ସ୍ତ୍ରୀ ଓ ଶାଶୂଙ୍କ ଶୋକାକୁଳ ପରିସ୍ଥିତିରେ ଆଶାର ଆଲୋକ ସାଜି ଛିଡ଼ା ହେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ।
ବଲାଙ୍ଗିର ସାଲେପାଲିର ୪୧ ବର୍ଷୀୟ ମନୋଜ ବଗର୍ତ୍ତୀ ଏବଂ ଟିକ୍ରାପଡାର ମଧୁମିତା ସାହୁ ଦୁହେଁ ଜନ୍ମରୁ ମୂକ। ନିଜର ସୁଖ-ଦୁଃଖ ଓ ଭଲପାଇବା ବ୍ୟକ୍ତ କରିବାକୁ ସେମାନଙ୍କ ପାଖରେ ଶବ୍ଦ ନଥିଲା, ଥିଲା କେବଳ ଦୁଇଟି ମନର ଅନାବିଳ ଭାବନା। ଆଜିକୁ ୮ ବର୍ଷ ତଳେ ଦୁହେଁ ପ୍ରେମ ବିବାହ କରି ଏକ ସୁନ୍ଦର ସଂସାର ଗଢ଼ିବାର ସ୍ୱପ୍ନ ଦେଖିଥିଲେ। ମାତ୍ର ଆନ୍ତଃଜାତି ବିବାହକୁ ମନୋଜଙ୍କ ପରିବାର ସ୍ୱୀକାର ନକରିବାରୁ, ସେ ନିଜ ଘର ଛାଡ଼ି ଶ୍ୱଶୁର ଘର ଟିକ୍ରାପଡାରେ ରହିଆସୁଥିଲେ।
ଗତ କିଛିଦିନ ହେବ ଶାରୀରିକ ଅସୁସ୍ଥତା ଯୋଗୁଁ ମନୋଜଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସ୍ୱାମୀଙ୍କ ଆକସ୍ମିକ ବିୟୋଗରେ ଭାଙ୍ଗିପଡ଼ିଥିବା ମଧୁମିତା ନିଜ ଶାଶୂଘର ଲୋକଙ୍କୁ ଖବର ଦେଇଥିଲେ। ଆଶା ଥିଲା, ମୃତ୍ୟୁ ହୁଏତ ଅହଙ୍କାରକୁ ତରଳାଇ ଦେବ। କିନ୍ତୁ ସାଲେପାଲିସ୍ଥିତ ନିଜ ପରିବାର ଲୋକେ ମରଶରୀର ଦେଖିବାକୁ କିମ୍ବା ଅନ୍ତିମ ସଂସ୍କାର କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ।
ଅସହାୟ ସ୍ତ୍ରୀ ଓ ତାଙ୍କ ମାଆ ମନୋଜଙ୍କ ଶବକୁ ଟିକ୍ରାପଡାସ୍ଥିତ ବାସଭବନକୁ ଆଣିଥିଲେ। ଘର ଭିତରେ ଶବ ପଡ଼ିରହିଥିବା ବେଳେ କୋକେଇ ବୋହିବାକୁ ନା ଥିଲେ କାନ୍ଧ, ନା ଥିଲା ଲୋକବଳ। ଏହି ଦୁଃଖଦ ଖବର ପାଇବା କ୍ଷଣି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ବବିତା ପୁଟେଲ୍, ପ୍ରକାଶ ସାହୁ, ସାଗର ଚନ୍ଦନ ଓ ସରୋଜ ଜାଲ ପ୍ରମୁଖ ସ୍ୱର୍ଗ ରଥ ମାଧ୍ୟମରେ ମରଶରୀରକୁ ବିଭୂତିପଡା ସ୍ଥିତ ଶ୍ମଶାନଘାଟକୁ ନେଇ ସମ୍ପୂର୍ଣ୍ଣ ସମ୍ମାନର ସହ ଶେଷକୃତ୍ୟ ସମ୍ପାଦନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ