ସ୍ଵର୍ଗତଃ ସନ୍ତୋଷ ଭୋଇଙ୍କ ଗଙ୍ଗା ଶ୍ରାଦ୍ଧରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବୀରମହାରାଜପୁର : ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ସନ୍ତୋଷ ଭୋଇଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ ଆଜି ସ୍ଥାନୀୟ ଅନ୍ନପୂର୍ଣ୍ଣା ରେସିଡେନ୍ସିଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି।
ସୋମବାର ସ୍ୱର୍ଗତ ଭୋଇଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ସହ ମାନବସେବାର ଏହି ମହତ୍ କାର୍ଯ୍ୟ ମାଧ୍ୟମରେ ସମାଜ ପ୍ରତି ଏକ ସକାରାତ୍ମକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା।
ଶିବିରରେ ବିଭିନ୍ନ ବର୍ଗର ଯୁବକ, ସାମାଜିକ କର୍ମୀ ଓ ଶୁଭେଚ୍ଛୁମାନେ ସ୍ୱେଚ୍ଛାରେ ରକ୍ତଦାନ କରି ମାନବିକତାର ପରିଚୟ ଦେଇଥିଲେ। ରକ୍ତଦାନ ମାଧ୍ୟମରେ ଅନେକ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିବାରୁ ଏଭଳି ମହତ୍ ପଦକ୍ଷେପକୁ ଉପସ୍ଥିତ ଅତିଥି ଓ ସାଧାରଣ ଲୋକେ ପ୍ରଶଂସା କରିଥିଲେ।
ସ୍ୱର୍ଗତ ସନ୍ତୋଷ ଭୋଇଙ୍କ ସାମାଜିକ ଜୀବନ, ଜନସେବା ଓ ଅଞ୍ଚଳ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଉପସ୍ଥିତ ବ୍ୟକ୍ତିମାନେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗଙ୍ଗା ଶ୍ରାଦ୍ଧ ଅବସରରେ ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟର ଆୟୋଜନ ତାଙ୍କ ସ୍ମୃତିକୁ ଏକ ନୂଆ ଅର୍ଥରେ ଜୀବନ୍ତ ରଖିବ ବୋଲି ମତ ପ୍ରକାଶ ପାଇଥିଲା । ଶିବିରରେ ପ୍ରାୟ 85 ଜଣ ରକ୍ତଦାନ କରିଥିବା ଜଣାପଡିଛି l

