ବଙ୍ଗୋମୁଣ୍ଡା ଓ ମୁରିବାହାଲ ରେଞ୍ଜରେ ବୃକ୍ଷରୋପଣ କାର୍ଯ୍ୟର ତଦାରଖ: କ୍ଷେତ୍ର ପରିଦର୍ଶନ କଲେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ।
ବଲାଙ୍ଗୀର,୧୩।୮: ବଲାଙ୍ଗୀର ବନଖଣ୍ଡ ଅଧିନସ୍ଥ ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବନ ରେଞ୍ଜ ଅଧୀନରେ ଚାଲିଥିବା ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ। ଭବାନୀପାଟଣା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ସ୍ୱୟଂ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ମାନ ଯାଞ୍ଚ କରିଛନ୍ତି।
ଏହି ସମୀକ୍ଷା ସମୟରେ RCCFଙ୍କ ସହିତ ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀ (DFO) ଏବଂ ସହକାରୀ ବନ ସଂରକ୍ଷକ (ACF) ଉପସ୍ଥିତ ରହି ବୃକ୍ଷରୋପଣ ସ୍ଥଳଗୁଡ଼ିକର ବିସ୍ତୃତ ଅନୁଧ୍ୟାନ କରିଥିଲେ।
ଏଥିସହ RCCF, DFO ଏବଂ ACFଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ରେଞ୍ଜର ବିଭିନ୍ନ ପଞ୍ଚାୟତ ଓ ଜଙ୍ଗଲ ଅଞ୍ଚଳରେ ସରକାରୀ ସ୍ତରରେ କରାଯାଇଥିବା ବୃକ୍ଷରୋପଣ ସ୍ଥଳ ତଦାରଖ କରାଯାଇ ରୋପଣ କରାଯାଇଥିବା ଚାରା ଗୁଡ଼ିକର ସୁରକ୍ଷା, ବଞ୍ଚିବା ହାର, ଗୁଣବତ୍ତା ଏବଂ ବନୀକରଣ ଯୋଜନାର ସଠିକ୍ କାର୍ଯ୍ୟକାରିତା ଯାଞ୍ଚ କରାଯାଇଥିଲା ।
ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଏହି ଗସ୍ତ ଫଳରେ ସ୍ଥାନୀୟ ବନ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟତତ୍ପରତା ବୃଦ୍ଧି ପାଇବା ସହ ଅଞ୍ଚଳରେ ସବୁଜିମା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଅଧିକ ସୁଦୃଢ଼ ହେବ।

