ଜଙ୍ଗଲି ଛତୁ ଏବେ ସାତସପନ ; ରାସାୟନିକ ସାର ହେଉଛି କାଳ
ବୀରମହାରାଜପୁର : ବର୍ଷା ଋତୁ ଆସିଲେ ଜଙ୍ଗଲ ଓ ବିଲବାଡ଼ିରେ ବିଭିନ୍ନ ପ୍ରକାରର ଛତୁ ଫୁଟିବା ଏକ ସାଧାରଣ ଦୃଶ୍ୟ ଥିଲା। ବିଶେଷକରି ଗ୍ରାମାଞ୍ଚଳର ଲୋକମାନେ ଏହି ପ୍ରାକୃତିକ ଖାଦ୍ୟ ଉପରେ ବହୁ ପରିମାଣରେ ନିର୍ଭର କରୁଥିଲେ | କିନ୍ତୁ ସମୟ ପରିବର୍ତ୍ତନ ସହିତ ଏବେ ଜଙ୍ଗଲିଛତୁ ଆଉ ପୂର୍ବଭଳି ଦେଖିବାକୁ ମିଳୁନାହିଁ ପରିବେଶବିତ୍, ଚାଷୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମତରେ ଏହା ପଛରେ ଜଙ୍ଗଲର ପରିବର୍ତ୍ତିତ ପରିସ୍ଥିତି ଓ କୃଷିରେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର ପ୍ରମୁଖ କାରଣ। ପୂର୍ବରୁ ଜଙ୍ଗଲରେ ବର, , ଶାଳ, ପିଆଶାଳ,, କେନ୍ଦୁ, ମହୁଲ, ଆମ୍ବ, ପଣସ, କରଞ୍ଜ, ନିମ୍ବ, ଜାମୁ, ଚାର, କୁସୁମ ଭଳି ଦେଶୀଗଛର ପ୍ରାଧାନ୍ୟ ଥିଲା। ଏହି ଗଛମାନଙ୍କର ପତ୍ର, ଫୁଲ ଓ ଫଳ ମାଟିରେ ପଡ଼ି ପ୍ରାକୃତିକ ଭାବେ ପଚି ଜୈବିକସାରରେ ପରିଣତ ହେଉଥିଲା। ଏହା ମାଟିକୁ ଉର୍ବର କରିବା ସହିତ ବିଭିନ୍ନ ପ୍ରକାରର ଜଙ୍ଗଲିଛତୁ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିଲା | ବର୍ଷାଦିନରେ ଗ୍ରାମର ଲୋକମାନେ ଜଙ୍ଗଲରୁ ଛତୁ ସଂଗ୍ରହକରି ନିଜ ଖାଦ୍ୟ ଆବଶ୍ୟକତା ପୂରଣ କରିବା ସହ ବିକ୍ରିକରି ଆର୍ଥିକ ଲାଭ ମଧ୍ୟପାଉଥିଲେ । ଗରିବ ପରିବାରଙ୍କ ପାଇଁ ଏହା ବର୍ଷାଋତୁରେ ପୁଷ୍ଟିକର ଖାଦ୍ୟ ଓ ରୋଜଗାରର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ଥିଲା। ସେହିପରି ବିଲବାଡ଼ି ଓ ଚାଷଜମିରେ ମଧ୍ୟ ସ୍ଵାଭାବିକ ଭାବେ ଛତୁ ଫୁଟୁଥିଲା | କିନ୍ତୁ ବର୍ତ୍ତମାନ କୃଷିକ୍ଷେତ୍ରରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର ମାଟିର ପ୍ରାକୃତିକ ଗୁଣକୁ ନଷ୍ଟକରୁଛି। ଫଳରେ ମାଟିରେ ଥିବା ଉପକାରୀ ଅଣୁଜୀବ ଏବଂ ଜୈବ ବିବିଧତା ହ୍ରାସପାଉଛି। ଏହାର ସିଧାସଳଖ ପ୍ରଭାବ ଛତୁର ବୃଦ୍ଧି ଉପରେ ପଡ଼ୁଛି | ଯେଉଁସ୍ଥାନରେ ପୂର୍ବେ ପ୍ରଚୁର ପରିମାଣରେ ଛତୁ ମିଳୁଥିଲା, ସେଠାରେ ଏବେ ଛତୁ ଦେଖିବା ମଧ୍ୟ ଦୁର୍ଲଭ ହୋଇପଡ଼ିଛି| ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ଜଙ୍ଗଲରେ ବହୁ ପରିମାଣରେ ଶାଗୁଆନ ଭଳି ଏକକ ପ୍ରଜାତିର ଚାରାରୋପଣ ଆରମ୍ଭହେବା ପରଠାରୁ ଜଙ୍ଗଲର ପ୍ରାକୃତିକ ବିବିଧତା କମିଛି ଏହି ବୃକ୍ଷଗୁଡ଼ିକ ସ୍ଥାନୀୟ ପରିବେଶ ସହ ସବୁବେଳେ ସମାନ ଭାବରେ ଖାପ ଖାଉନଥିବାରୁ ମାଟିର ଗଠନ ଓ ଜୈବିକ ପରିବେଶରେ ପରିବର୍ତନ ଆସୁଛି। ଫଳସ୍ବରୂପ ଛତୁ ସମେତ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ମଧ୍ୟ ଧୀରେଧୀରେ ହ୍ରାସପାଉଛି।ପ୍ରକୃତିର ସନ୍ତୁଳନ ରକ୍ଷା, ଜୈବବିବିଧତାର ସୁରକ୍ଷା ଏବଂ ଆଗାମୀପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନ କରିବାକୁ ହେଲେ ସ୍ବଦେଶୀଜଙ୍ଗଲର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ। ସରକାର, ବନବିଭାଗ, କୃଷିବିଭାଗ ଓ ସାଧାରଣ ଲୋକ ମିଳିତଭାବେ ସ୍ବଦେଶୀ ଚାରାରୋପଣ ଏବଂ ଜୈବିକକୃଷିକୁ ଗୁରୁତ୍ବଦେଲେ ପୁଣିଥରେ ଜଙ୍ଗଲିଛତୁର ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିବ l

