ବଲାଙ୍ଗୀରର ପ୍ରସିଦ୍ଧ ହୋଟେଲ ‘ରାଜ ମନ୍ଦିର’ ର ମାଲିକ ଗୁଣ୍ଡା ସାହୁଙ୍କୁ ବନ୍ଧୁକ ମୁନରେ ଅପହରଣ ।
ବଲାଙ୍ଗୀର,୧୫।୮: ଦିନକୁ ଦିନ ବଲାଙ୍ଗୀର ସହରରେ ଅପରାଧ କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ଆଜି ପୁଣି ବଲାଙ୍ଗୀରରୁ ଆସିଛି ଏକ ବଡ଼ ଓ ଚାଞ୍ଚଲ୍ୟକର ଖବର। ବଲାଙ୍ଗୀରର ପ୍ରସିଦ୍ଧ ‘ହୋଟେଲ ରାଜ ମନ୍ଦିର’ ର ମାଲିକ ତଥା ଜଣାଶୁଣା ରିଅଲ ଇଷ୍ଟେଟ୍ ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ତାଙ୍କ ନିଜ କାରରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଗନ୍ ପଏଣ୍ଟରେ ଅପହରଣ କରି ନେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ଏନେଇ ଗୁଣ୍ଡା ସାହୁଙ୍କ ପୁତୁରା ରାହୁଲ ସାହୁ ବଲାଙ୍ଗୀର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ସକାଳେ ‘ହୋଟେଲ ରାଜ ମନ୍ଦିର’ର ମାଲିକ ନରେନ୍ଦ୍ର (ଗୁଣ୍ଡା) ସାହୁ କୌଣସି କାମରେ ନିଜ କାର୍ ନେଇ ବଲାଙ୍ଗୀରରୁ ସୋନପୁର ଅଭିମୁଖେ ବାହାରିଥିଲେ। ଭଇଁସାପାଲି ଟୋଲଗେଟରେ ଅପରାହ୍ନ ୧:୪୫ ମିନିଟରେ ତାଙ୍କ କାର୍ ପାସ୍ କରିଥିବା ସିସିଟିଭି ଓ ଟୋଲ୍ ରେକର୍ଡରୁ ସୂଚନା ମିଳିଛି।
ସନ୍ଧ୍ୟା ହେବା ପରେ ବି ଗୁଣ୍ଡା ସାହୁ ଘରକୁ ନଫେରିବାରୁ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ। ତେବେ ରାତିରେ ଗୋଟିଏ ଅଜଣା (Unknown) ନମ୍ବରରୁ ତାଙ୍କ ପୁଅଙ୍କ ପାଖକୁ କଲ୍ ଆସିଥିଲା। ତାଙ୍କ ପୁଅଙ୍କ କହିବା ଅନୁଯାୟୀ, ବାପା ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ ଏବଂ ଗନ୍ ପଏଣ୍ଟରେ ଥାଇ ସନ୍ଧ୍ୟାରେ ଫେରିବେ ବୋଲି କହିଥିଲେ। ଏହାପରେ ରାତି ପ୍ରାୟ ୧୦:୩୦ ପରଠାରୁ ତାଙ୍କ ଫୋନ୍ ସ୍ଵିଚ୍ ଅଫ୍ ହୋଇଯାଇଥିଲା।
ଏନେଇ ଗତକାଲି ଡେରି ରାତିରେ ଅଭିଯୋଗ ହେବା ପରେ ବଲାଙ୍ଗୀର ପୋଲିସ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିଛି।
ବଲାଙ୍ଗୀର ଏସପି ଋଷିକେଶ ଖିଲାରୀଙ୍କ ପ୍ରତ୍ୟକ୍ଷ ନେତୃତ୍ଵରେ ୨ଟି ସ୍ବେଶାଲ୍ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଟେକ୍ନିକାଲ୍ ଟିମ୍ ମଧ୍ୟ ସିସିଟିଭି ଫୁଟେଜ୍ ଏବଂ ମୋବାଇଲ୍ ଲୋକେସନ୍ ଆଧାରରେ ତଦନ୍ତ ଚଳାଇଛି।
ତେବେ ଏହି ଅପହରଣ ପଛରେ କୌଣସି ବ୍ୟବସାୟିକ ଶତ୍ରୁତା ରହିଛି, ନା ଟଙ୍କା କାରବାର କାରଣରୁ କୌଣସି ବାହାର ରାଜ୍ୟ (ଯେପରିକି ଝାରଖଣ୍ଡ ଅପରାଧୀ ଗୋଷ୍ଠୀ)ର ହାତ ରହିଛି ସେସବୁ ଦିଗକୁ ନେଇ ପୋଲିସ୍ ଛାନଭିନ୍ କରୁଛି। ଅନ୍ୟପଟେ ପରିବାର ଲୋକେ ଓ ତାଙ୍କ ଶୁଭେଚ୍ଛୁମାନେ ବର୍ତ୍ତମାନ ଏସପି ଅଫିସରେ ଉପସ୍ଥିତ ଅଛନ୍ତି ଏବଂ ଗୁଣ୍ଡା ସାହୁଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଦାବି କରୁଛନ୍ତି।

