Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ହୋଟେଲ ‘ରାଜ ମହଲ’ ମାଲିକ ତଥା ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ଘଟଣା: ‘ହନୁମାନ ପଇସା’ ଡିଲ୍ ପଛରେ ଥିଲା କି କୋଟି କୋଟି ଟଙ୍କାର କାରବାର? ସନ୍ଦେହ ଘେରରେ ଆପୋଷ ବୁଝାମଣା ।

ବଲାଙ୍ଗୀର,୧୬।୮: ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଥିବା ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ଘଟଣାରେ ଏବେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ପୁଲିସ ଅପହୃତ ବ୍ୟବସାୟୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଅଭିଯୁକ୍ତ କ୍ଷିତୀଶ ସାହୁଙ୍କୁ ଆୟତ୍ତ କରିବାରେ ସଫଳତା ପାଇଥିଲା। ତେବେ ଏହି ସୁସଂଗଠିତ ଅପହରଣ ପଛରେ କେବଳ ଟଙ୍କା ନା ଅନ୍ୟ କୌଣସି ଗୂଢ଼ କାରଣ ରହିଛି, ସେ ନେଇ ପୁଲିସର ଛାନ୍‌ଭିନ୍ ଜାରି ରହିଛି।
ସୂଚନା ଅନୁଯାୟୀ, ଅପହରଣର ମୁଖ୍ୟ କାରଣ ‘ହନୁମାନ ପଇସା’ ବା ପ୍ରାଚୀନ ଧାତୁ ମୁଦ୍ରାର କାରବାର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କ୍ଷିତୀଶ ସାହୁ ଏବଂ ଗୁଣ୍ଡା ସାହୁଙ୍କ ମଧ୍ୟରେ ଅଢ଼େଇ ରୁ ୩ କୋଟି ଟଙ୍କାର ଏକ ବଡ଼ ଡିଲ୍ ହୋଇଥିଲା। ଏଥିପାଇଁ ଗୁଣ୍ଡା ସାହୁଙ୍କୁ ପ୍ରାୟ ୨.୭୦ କୋଟି ଟଙ୍କା ଅଗ୍ରୀମ (Advance) ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ଦିନ ଧରି ନା ହନୁମାନ ପଇସା ମିଳିଥିଲା, ନା ଟଙ୍କା ଫେରସ୍ତ ହୋଇଥିଲା। ଏହି ନେଣଦେଣକୁ ନେଇ ସୃଷ୍ଟ ବିବାଦ ହିଁ ଶେଷରେ ଅପହରଣର ରୂପ ନେଇଥିବା କୁହାଯାଉଛି।
ଘଟଣାଦିନ ବ୍ୟବସାୟୀ ଗୁଣ୍ଡା ସାହୁ ଏକ ‘ବିଜନେସ୍ ଡିଲ୍’ ବାହା ନେଇ ବାହାରକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ବର୍ତ୍ତମାନ ବଲାଙ୍ଗୀର ଏସପି ଅଭିଲାଷ ଜି. ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ବେଳେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସମ୍ପୂର୍ଣ୍ଣ ଘଟଣାର ତଦାରଖ କରୁଛନ୍ତି।
ଅପହରଣକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ବେଆଇନ ‘ହନୁମାନ ପଇସା’ କାରବାରରେ ସଂପୃକ୍ତି ପାଇଁ ବ୍ୟବସାୟୀ ଗୁଣ୍ଡା ସାହୁଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ, ସେ ନେଇ ପୁଲିସ ଆଇନଗତ ପରାମର୍ଶ ନେଉଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ହିଁ ଘଟଣାର ସଂପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories