Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନେ ରହିବ ଦୁର୍ଘଟଣା; ସ୍ଵାଭାବିକ ଅବସ୍ଥାକୁ ଫେରୁଛି ସ୍ଥିତି, ବାହାନଗା ଦେଇ ଗତି କଲା ବନ୍ଦେ ଭାରତ ଏକ୍ସପ୍ରେସ୍

ବାଲେଶ୍ଵର: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ବାହାନଗା ଟ୍ରାକରେ ପ୍ରଥମ ଟ୍ରେନ ଗଡ଼ିଥିଲା। ଉକ୍ତ ରୁଟରେ ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ଵାଭାବିକ ହେବାରେ ଲାଗିଛି। ରବିବାର ରାତିରେ ସର୍ବପ୍ରଥମେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ରୁଟରେ ଗଡ଼ିଥିଲା। ଏହା ପରେ ଅନେକ ଟ୍ରେନ ଯାତ୍ରା କରିଛି। ଏହି କ୍ରମରେ ସୋମବାର ଦେଶର ସବୁଠୁ ଦ୍ରୁତଗାମୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଏକ୍ତ ରୁଟ୍ ଦେଇ ଗତି କରିଛି। ଏହି ସମୟରେ ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଉପସ୍ଥିତ ରହି ଲୋକ ପାଇଲଟଙ୍କୁ ଅଭିବାଦନ ଜଣାଇଛନ୍ତି।

ରେଳ ଅଧିକାରୀ କହିଛନ୍ତି, ସୋମବାର ସକାଳ ୯ଟା ୩୦ରେ ପୁରୀ-ହାଓ୍ଵଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ବାହାନଗା ବଜାର ଷ୍ଟେସନ ଦେଇ ଯାତ୍ରା କରିଛି। ଯେଉଁ ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଘଟଣାସ୍ଥଳ ଦେଇ ଗତି କଲା ସେହି ସମୟରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେ ସେମି ହାଇସ୍ପିଡ ଟ୍ରେନର ଡ୍ରାଇଭରଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ରେଳ ମନ୍ତ୍ରୀ କହିଛନ୍ତି ପ୍ରଭାବିତ ରୁଟର ଅପ ଏବଂ ଡାଉନ ଦୁଇ ଟ୍ରାକରେ ପୂର୍ବପରି ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

ସର୍ବପ୍ରଥମେ ରବିବାର ରାତିରେ କୋଇଲା ବୋଝେଇ ମାଲବାହୀ ଟ୍ରେନ ଉକ୍ତ ରୁଟ୍ ଦେଇ ଗତି କରିଥିଲା। ହେଲେ ଆରମ୍ଭରେ ଏହି ରୁଟରେ ଟ୍ରେନଗୁଡ଼ିକ ଧିମା ଗତିରେ ଅତିକ୍ରମ କରାଗଲା। ରେଲଓ୍ଵେ ଅଧିକାରୀଙ୍କ ଅନୁଯାୟୀ, ଭୀଷଣ ଦୁର୍ଘଟଣା ପରେ ଟ୍ରାକ ଭାଙ୍ଗି ଯାଇଥିଲା। ଯୁଦ୍ଧକାଳୀନସ୍ତରରେ ଏହାର ମରାମତି କରାଯାଇଛି। ବର୍ତ୍ତମାନ ସତର୍କତା ସ୍ଵରୂପ ଏହି ରୁଟରେ ଟ୍ରେନଗୁଡ଼ିକ କମ ବେଗରେ ଗତି କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗାରେ ୩ଟି ଟ୍ରେନ ମଧ୍ୟରେ ଘଟଥିବା ଭୟାନକ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସୁପାରିସ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ