Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵାଧୀନତା ଦିବସରେ ମେଧାବୀ ଛାତ୍ରୀ ପଶ୍ଚିମ ଓଡିଶାରେ ଟପ୍ପର କୁନ୍ତି ସାହୁ ଙ୍କୁ ଅଣଦେଖା

ବୀରମହାରାଜପୁର :
ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାବାନ ଛାତ୍ର ଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଗଲା। ହେଲେ ଗତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୯୯.୫ ପ୍ରତିଶତ ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ଏବଂ ପଶ୍ଚିମ ଓଡ଼ିଶାରେ ଟପ୍ପର ହୋଇଥିବା ବୀରମହାରାଜପୁର ଅଞ୍ଚଳର କୁନ୍ତୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ୱର ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଥିବାବେଳେ ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଏହି ଦୁଇ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର କୃତୀ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ତେବେ ଶିକ୍ଷା କ୍ଷେତ୍ରରେ ଏତେ ବଡ଼ ସଫଳତା ହାସଲ କରିଥିବା କୁନ୍ତୀଙ୍କୁ ଉଭୟ ସ୍ଥାନରେ ସମ୍ବର୍ଦ୍ଧନା ଦିଆନଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁସାରେ, କୁନ୍ତୀଙ୍କୁ ସମ୍ବର୍ଦ୍ଧିତ କରିବା ସମ୍ପର୍କରେ ଜିଲ୍ଲା କିମ୍ବା ଉପଖଣ୍ଡ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଇ ନଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଶିକ୍ଷାବିତ୍‌, ରାଜନେତା ଓ ଜନ ପ୍ରତିନିଧିମାନେ ପ୍ରଶାସନର କାର୍ଯ୍ୟଧାରାକୁ ପ୍ରଶ୍ନ କରିଛନ୍ତି।
ବୀରମହାରାଜପୁର ଜୋନ୍‌-୧ର ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁ ଘଟଣାକୁ ନିନ୍ଦା କରି ଏହା ପ୍ରଶାସନିକ ଅବହେଳା ବୋଲି କହିଛନ୍ତି। ଜଣେ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ନ କରିବାର କାରଣ କ’ଣ ବୋଲି ସେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ସେହିପରି ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର ମଧ୍ୟ ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି। ଜଣେ ମେଧାବୀ ଛାତ୍ରୀଙ୍କୁ ସମ୍ମାନିତ ନ କରି କେବଳ ଲୋକଦେଖାଣିଆ ଭାବେ କାର୍ଯ୍ୟକ୍ରମ କରାଯାଉଥିବା ସେ ସମାଲୋଚନା କରିଛନ୍ତି।
ଏନେଇ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କୁ ଯୋଗାଯୋଗ କରାଯିବାରୁ ଉପଜିଲ୍ଲାପାଳ କହିଥିଲେ କି ପ୍ରସ୍ତୁତି ବୈଠକରେ କେହି କୌଣସି ପ୍ରକାର ଚର୍ଚ୍ଚା ନ କରିବାରୁ କେହି ମନେ କରି ପାରିନଥିବା କହିବା ସହିତ ନିଶ୍ଚିତ ଭାବରେ ସମ୍ମାନିତ କରିବା କଥା ବୋଲି ପ୍ରକାଶ କରିଥିଲେ l
ସୂଚନା ଅନୁସାରେ, କୁନ୍ତୀ ସାହୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉପାନ୍ତ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗ୍ରାମର ଚାଷୀ ଜଗଦାନନ୍ଦ ସାହୁଙ୍କ ଝିଅ। ଅଭାବ ଓ ଗ୍ରାମାଞ୍ଚଳର ପରିସ୍ଥିତି ମଧ୍ୟରେ ପାଠପଢ଼ି ଯୁକ୍ତ ୨ ବିଜ୍ଞାନରେ ୯୯.୫ ପ୍ରତିଶତ ନମ୍ବର ରଖି ସେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ