AI ଯୁଗରେ ଅନ୍ଧବିଶ୍ୱାସର କରାଳ ଛାୟା: ବଲାଙ୍ଗିରରେ ଯୁବକଙ୍କୁ ବଳି, ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତ ଗିରଫ ।
ବଲାଙ୍ଗିର,୨୧।୮: ୨୧ ମସିହାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ସତ୍ତ୍ୱେ ସମାଜରୁ ହଟିନି ଅନ୍ଧବିଶ୍ୱାସର କରାଳ ଛାୟା। ବଲାଙ୍ଗିର ଜିଲ୍ଲାରେ ଘଟିଯାଇଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଜଘନ୍ୟ ହତ୍ୟାକାଣ୍ଡ। ଘର ଭିତରେ ଜଣେ ଯୁବକଙ୍କୁ ବଳି ଦିଆଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ଦେଓଗାଁ ଥାନା ଅନ୍ତର୍ଗତ ଟେପ୍ରାମୁଣ୍ଡା ଗାଁର ଯୁବକ ସନ୍ତୋଷ ଖରସେଲ ଗତ ତିନି ଦିନ ତଳୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସେ ବଗଡ଼ା ଗାଁକୁ ଆସିଥିବା ଖବର ପାଇଥିଲେ।
ସନ୍ତୋଷଙ୍କ ପରିବାର ଲୋକେ ବଗଡ଼ା ଗାଁର ଶତ୍ରୁଘ୍ନ ଖରସେଲଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ମାତ୍ର ଶତ୍ରୁଘ୍ନଙ୍କ ପରିବାର ଲୋକେ ସେମାନଙ୍କୁ ଘର ଭିତରକୁ ପଶିବାକୁ ଦେଇନଥିଲେ, ଯାହା ସନ୍ଦେହକୁ ଆହୁରି ଦୃଢ଼ କରିଥିଲା।
ଗତକାଲି ସକାଳେ ବଗଡ଼ା ଗାଁ ନିକଟସ୍ଥ ପୋଖରୀରୁ ସନ୍ତୋଷଙ୍କ ମୁଣ୍ଡବିହୀନ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ଦେଓଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଶତ୍ରୁଘ୍ନ ଖରସେଲଙ୍କୁ ଅଟକ ରଖିଥିଲା। ପୁଲିସର କଠୋର ଜେରା ଆଗରେ ଶତ୍ରୁଘ୍ନ ନିଜ ଦୋଷ ସ୍ୱୀକାର କରି “ହଁ, ମୁଁ ବଳି ଦେଇଛି” ବୋଲି କହିଥିଲେ। ପରେ ସେ ନିଜେ ପୁଲିସକୁ ଘର ଭିତରକୁ ନେଇ ମାଟି ଭିତରେ ପୋତାଯାଇଥିବା କଟାମୁଣ୍ଡ ଦେଖାଇଥିଲେ।
ସ୍ଥାନୀୟ ଲୋକ ଓ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଶତ୍ରୁଘ୍ନ ପ୍ରଚୁର ମଦ୍ୟପାନ କରି ପୂଜାର୍ଚ୍ଚନା କରନ୍ତି ଓ ଗାଁରେ ପାଗଳଙ୍କ ଭଳି ବୁଲାବୁଲି କରନ୍ତି। ତାଙ୍କର ଏହିପରି ଆଚରଣ ଯୋଗୁଁ ବିଗତ ୧୦ ବର୍ଷ ହେଲା ତାଙ୍କ ସ୍ତ୍ରୀ ଓ ପୁଅ ତାଙ୍କୁ ଛାଡ଼ି ଅଲଗା ରହୁଛନ୍ତି।
ଏହି ଜଘନ୍ୟ କାଣ୍ଡ ପଛରେ କେବଳ ଅନ୍ଧବିଶ୍ୱାସ ରହିଛି ନା ଅନ୍ୟ କୌଣସି ଶତ୍ରୁତା ରହିଛି, ସେ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ପୁଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇନାହିଁ।

