Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ କୋଠରୀରେ ଭବିଷ୍ୟତ: ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ପିଲେ ବାରଣ୍ଡାରେ ବସି କି ଚାଲିଛି ପାଠପଢ଼ା

ଜମନକିରା : ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ ପ୍ରଶାସନିକ ବ୍ୟବସ୍ଥାର ବିକଳ ଚିତ୍ରକୁ ଉଜାଗର କରୁଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ପଞ୍ଚାୟତର ବାଦିବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନରୁ ଗୃହ ସମସ୍ୟା ଲାଗିରହିଥିବା ଯୋଗୁଁ କୋମଳମତି ଶିଶୁମାନେ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ପରିବେଶରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟର ଦୁଇଟି ମୁଖ୍ୟ ଶ୍ରେଣୀ କୋଠରୀର ଛାତ ଏବଂ କାନ୍ଥ ଚାରିପଟେ ଫାଟ ସୃଷ୍ଟି ହୋଇ ଅତ୍ୟନ୍ତ ସଙ୍କଟାପନ୍ନ ସ୍ଥିତିରେ ପହଞ୍ଚିଛି। ବିଶେଷ କରି ବର୍ଷା ଦିନରେ ଛାତରୁ ଅବିରତ ପାଣି ଗଳିବା ସହ କାନ୍ଥ ଓ ଛାତରୁ ପ୍ଲାଷ୍ଟର ଖସୁଥିବାରୁ ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ, ଅନ୍ୟ ଏକ ଶ୍ରେଣୀ କୋଠରୀ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଓ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଥିବା ବେଳେ ଶ୍ରେଣୀ ଗୃହର ଘୋର ଅଭାବ ଯୋଗୁଁ ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାତ୍ର ଗୋଟିଏ କୋଠରୀ କିମ୍ବା ବାଧ୍ୟ ହୋଇ ବାହାର ବାରଣ୍ଡା ଚଟାଣରେ ଏକାଠି ବସି ପାଠ ପଢ଼ୁଛନ୍ତି। ଫଳରେ ଏଠାରେ ଶିକ୍ଷାଦାନ ବ୍ୟବସ୍ଥା ଚରମ ଭାବେ ବ୍ୟାହତ ହେଉଛି। ଏହି ସଙ୍ଗିନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭାଗକୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଦୀର୍ଘ ଦିନ ଧରି କୌଣସି ପ୍ରତିକାର କରାଯାଇନାହିଁ।
ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, କେନ୍ଦ୍ରୀୟ ଯୋଜନା ତଥା ରାଜ୍ୟ ସରକାରଙ୍କ ବିଭିଜି ରାମଜୀ ଯୋଜନା ମାଧ୍ୟମରେ ଉକ୍ତ ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କୋମଳମତି ଶିଶୁମାନଙ୍କୁ ଏକ ସୁରକ୍ଷିତ ଶିକ୍ଷା ପରିବେଶ ପ୍ରଦାନ କରିବାକୁ ସ୍ଥାନୀୟ ଅଭିଭାବକ ଓ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories