ଘୁଷୁରାଗୁଡ଼ାରୁ ଢାଲେନ୍ ରାସ୍ତା ଅବସ୍ଥା ବେହାଲ: ଯାତାୟାତରେ ନାହିଁ ନଥିବା ଦୁର୍ଦ୍ଦଶା, ପାଗ ଶୁଖିଲା ହେଲେ ମରାମତି ପ୍ରତିଶ୍ରୁତି ଦେଲେ ସରପଞ୍ଚ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ପଞ୍ଚାୟତର ଘୁଷୁରାଗୁଡ଼ା ଗ୍ରାମରୁ ଢାଲେନ୍ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରାସ୍ତା କାଦୁଅରେ ଭର୍ତ୍ତି ହୋଇ ପୋଖରୀ ସଦୃଶ ଭ୍ରମ ସୃଷ୍ଟି କରୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍ଥାନୀୟ ଗ୍ରାମବାସୀ, ଛାତ୍ରଛାତ୍ରୀ ତଥା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ଗାଡ଼ିମଟର ଫସି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ଲାଗି ରହିଛି। ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଗାଁ ଭିତରକୁ ପ୍ରବେଶ କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଦୀର୍ଘ ଦିନ ଧରି ଏହି ରାସ୍ତାର ସ୍ଥାୟୀ ନିର୍ମାଣ କିମ୍ବା ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୧ କିଲୋମିଟର ରାସ୍ତାର ଅବସ୍ଥା ଏହି ଭଳି ହୋଇଛି। ତେଣୁ ଅଞ୍ଚଳବାସୀ ଏହାକୁ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ଟିକିଲିପଡ଼ା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ବର୍ତ୍ତମାନ ଲଗାଣ ବର୍ଷା ଯୋଗୁଁ କାମ କରିବାରେ ବାଧା ଉପୁଜିଛି। ପାଗ ଟିକେ ଶୁଖିଲା ହେବା ମାତ୍ରେ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

