Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରାମତି ନାଁରେ ବିଭ୍ରାଟ: ଖରାପ ରାସ୍ତାରେ ମୁରୁମ୍ ପକାଇ ସ୍ଥିତି କଲେ ଆହୁରି ସଙ୍ଗିନ୍, କାଦୁଅରେ ଖସୁଛି ଗାଡ଼ି, ପଡ଼ି ହାବୁଡ଼ି ହେଉଛନ୍ତି ଲୋକେ

ଜମନକିରା : ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ଏକ ସଙ୍ଗିନ୍ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଷଣ୍ଢପଥର ସ୍ଥିତ ୫୩ ନମ୍ବର ଜାତୀୟ ରାଜପଥ ରୁ ଦୋରୋବାହାଲ ପଡ଼ା ଦେଇ ଛେମୁଣ୍ଡା କୁ ଯାଇଥିବା ମୁଖ୍ୟ ରାସ୍ତାରେ।
ପୂର୍ବରୁ ଖରାପ ଥିବା ଏହି ରାସ୍ତା ଉପରେ ପଞ୍ଚାୟତ ୱାର୍ଡ ସଭ୍ୟଙ୍କ ଦ୍ୱାରା ଅପରିକଳ୍ପିତ ଭାବେ ମୁରୁମ୍ ପକାଯିବା ପରେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ ପଚ୍‌ପଚ୍ ହୋଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାରେ ଚାଲିବା ତ ଦୂରର କଥା, ଦୁଇଚକିଆ ଯାନବାହନ ଯିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। କାଦୁଅରେ ଗାଡ଼ି ଚକା ଖସି ଲୋକେ ପଡ଼ି ହାବୁଡ଼ି ହେଉଥିବା ବେଳେ ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧବୃଦ୍ଧା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଜରୁରୀକାଳୀନ ସମୟରେ ଏହି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ପହଞ୍ଚିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି।
ଏହି ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇବା ସହ ତୁରନ୍ତ ରାସ୍ତାଟିକୁ ସ୍ଥାୟୀ ଭାବେ ମରାମତି କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁଶୀଲ ନାୟକଙ୍କୁ ପଚାରିବାରୁ, ପାଗ ଟିକିଏ ଶୁଖିଲା ହେବା ମାତ୍ରେ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories