ନିଜ ସ୍ତ୍ରୀକୁ ପୁଣି ଫେରି ପାଇବାକୁ ତନ୍ତ୍ର ସାଧନା କରି ଯୁବକଙ୍କୁ ବଳି !
ବଲାଙ୍ଗିର,୨୧।୮: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ନିକଟରେ ବୁଧବାର ରାତିରେ ହତ୍ୟାକାଣ୍ଡ ଘଟିଛି। ତୁଷୁରା ଥାନା ଅଧୀନ ଟେପ୍ରାମୁଣ୍ଡା ଗାଁର ସନ୍ତୋଷ ଖରସେଲ (୪୦)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗି ଦିଆଯାଇଛି। ତାଙ୍କୁ ସେହି ଗାଁର ଶତ୍ରୁଘ୍ନ ସାହୁ ହତ୍ୟା କରିଛନ୍ତି। ତନ୍ତ୍ର ସାଧନା ପାଇଁ ଏହି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଶତ୍ରୁଘ୍ନଙ୍କୁ ପୁଲିସ ଗିରଫ କରିଛି।
ବନ୍ଧରେ ସନ୍ତୋଷଙ୍କ ମୁଣ୍ଡ ବିହୀନ ଶରୀର ଭାସୁଥିବା ଦେଖି ଗାଁରେ ତହଲ ପଡ଼ିଥିଲା। ଖବର ପାଇ ପୁଲିସ ପହଞ୍ଚି ଥିଲା। ହତ୍ୟାକାରୀ ଶତ୍ରୁଘ୍ନଙ୍କୁ ପୁଲିସ ଧରିବା ପରେ ପଚରାଉଚରା କରିଥିଲା। ଏହାପରେ ସେ ଏକାକୀ ରହୁଥିବା ଏକ ଘରୁ କଟା ମୁଣ୍ଡ ମିଳିଥିଲା; ଯେଉଁ ଘରେ କି ଅଭିଯୁକ୍ତ ଏହି କଟାମୁଣ୍ଡ ରଖି ତନ୍ତ୍ର ସାଧନା କରୁଥିଲା।
ସୂଚନାଯୋଗ୍ୟ ଯେ, ଶତ୍ରୁଘ୍ନଙ୍କୁ ନିଜ ସ୍ତ୍ରୀ କିଛି ବର୍ଷ ପୂର୍ବେ ଛାଡ଼ି ନିଜ ବାପ ଘରକୁ ଚାଲି ଯାଇଥିଲେ। ସ୍ତ୍ରୀ ପୁଣି ଫେରି ଆସିବେ ବୋଲି ବିଶ୍ୱାସ କରି ଅଭିଯୁକ୍ତ ଶତ୍ରୁଘ୍ନ ଏଭଳି ନୃଶଂସ କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ତେବେ ଅଭିଯୁକ୍ତ କହିବା ଅନୁସାରେ ଉଭୟ ନିଶାରେ ଥିଲେ। ସନ୍ତୋଷ ଛୁରୀ ଧରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବାରୁ ସେ ପ୍ରତିଆକ୍ରମଣ କରିଥିଲେ। ପୁଲିସ ସନ୍ତୋଷଙ୍କ କଟାମୁଣ୍ଡ ଓ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନ୍ୟପକ୍ଷେ ଅଭିଯୁକ୍ତ ଶତ୍ରୁଘ୍ନ ବର୍ଷେ ହେଲା ବଳି ଦେବ ବୋଲି କହି ବୁଲୁଥିଲା। ୧ ମାସ ତଳେ ସେ ତା’ ଭାଇଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିଲା। ତା’ ନାଁରେ ଚୋରି, ଆକ୍ରମଣ ଆଦି ମାମଲା ରହିଛି। ବୁଧବାର ରାତିରେ ସେ ସନ୍ତୋଷଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ଶବକୁ ବଗଡ଼ା ନିକଟ ବନ୍ଧରେ ଫିଙ୍ଗି ଦେଇଥିଲା। ଏହା ପରେ ସେ ଗାଁରୁ ପ୍ରାୟ ୧ କିଲୋମିଟର ଦୂର ବଗଡ଼ା ଇନ୍ଦିରା ଗାନ୍ଧୀ ହାଇସ୍କୁଲ ନିକଟରେ ଏକା ରହୁଥିବା ଘରେ ମୁଣ୍ଡ ରଖି ତନ୍ତ୍ର ସାଧନା କରୁଥିଲା।

