Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ଚାଷୀ ପଞ୍ଜୀକରଣ ସମସ୍ୟା: ୩୧ ଅଗଷ୍ଟ ସୁଦ୍ଧା ସରିବା ଅସମ୍ଭବ, ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ତାରିଖ ବୃଦ୍ଧି ପାଇଁ ଚାଷୀଙ୍କ ଦାବି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧୀନରେ ଥିବା ବିଭିନ୍ନ ଲ୍ୟାମ୍ପସରେ ଖରିଫ ଧାନ ବିକ୍ରୟ ପାଇଁ ଚାଲିଥିବା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଏବେ ଚରମ ବିଭ୍ରାଟ ମଧ୍ୟକୁ ଠେଲି ହୋଇଯାଇଛି। ବ୍ଲକର ପ୍ରମୁଖ ତିନୋଟି ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ)— ଜମନକିରା, କୁଲୁଣ୍ଡି ଏବଂ ଫାଶିମାଲ ଅଧୀନରେ ପ୍ରାୟ ୮ ହଜାରରୁ ଅଧିକ ଚାଷୀ ପଞ୍ଜୀକୃତ ପାଇଁ ରହିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ନାମ ପଞ୍ଜୀକରଣ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ମାତ୍ର ବାସ୍ତବ ସ୍ଥିତି ଏବେ ସମ୍ପୂର୍ଣ୍ଣ ଓଲଟା ରହିଛି, ଯାହା ଫଳରେ ଏତେ ସଂଖ୍ୟକ ଚାଷୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକୃତ କରାଇବା ଆଦୌ ସମ୍ଭବପର ହେଉନାହିଁ।
ସୂଚନା ଅନୁସାରେ, ଏହି ତିନୋଟି ଯାକ ଲ୍ୟାମ୍ପସ ପାଇଁ ବିଭାଗ ପକ୍ଷରୁ ମାତ୍ର ୯ଟି ୟୁଜର ଆଇଡି (User ID) ଯୋଗାଇ ଦିଆଯାଇଛି। ତାହା ସହିତ ବାରମ୍ବାର ସର୍ଭର ଡାଉନ୍ ଓ ଧୀମା ଇଣ୍ଟରନେଟ୍ ସେବା ଯୋଗୁଁ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ପାରୁନାହିଁ। ଦିନସାରା ପରିଶ୍ରମ ପରେ ମଧ୍ୟ ପ୍ରତିଦିନ ସର୍ବାଧିକ ତିନୋଟି ଲ୍ୟାମ୍ପସ ରେ ମାତ୍ର ୩୦୦ ରୁ ୪୦୦ ଜଣ ଚାଷୀଙ୍କ ଆବେଦନ ହିଁ ଅନଲାଇନରେ ଅପଲୋଡ୍ ହୋଇପାରୁଛି। ଏହି ଗତିରେ କାର୍ଯ୍ୟ ଚାଲିଲେ ଅଗଷ୍ଟ ୩୧ ସୁଦ୍ଧା ଅଧାରୁ ଅଧିକ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍ ପଡ଼ିବାର ପ୍ରବଳ ଆଶଙ୍କା ଦେଖାଦେଇଛି। ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହ ଶହ ପୁରୁଷ ଓ ମହିଳା ଚାଷୀ ନିଜ ନିଜର ଆବଶ୍ୟକୀୟ କାଗଜପତ୍ର ଧରି ଲ୍ୟାମ୍ପସ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନରେ ଛିଡ଼ା ହୋଇ ନିରାଶ ହୋଇ ଫେରୁଛନ୍ତି।
ଚାଷୀମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଞ୍ଜୀକୃତ ନ ହୋଇପାରିଲେ ଆଗାମୀ ଦିନରେ ସରକାରୀ ମଣ୍ଡିରେ ଧାନ ବିକ୍ରୟ କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ। ଏହା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ। ଏଭଳି ସ୍ଥିତିରେ କୃଷକ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅନଲାଇନ୍ ପଞ୍ଜୀକରଣ ଅବଧିକୁ ଆହୁରି ଅତି କମରେ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅବଧି କୁ ବୃଦ୍ଧି କରିବା ସହ ଅତିରିକ୍ତ ଆଇଡି ଓ ଅପରେଟର ଯୋଗାଇ ଦେବାକୁ ଚାଷୀ ସମୂହ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ସମୟ ସୀମା ବୃଦ୍ଧି ନ କରାଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories