ବଲାଙ୍ଗୀର ସୁଦପଡ଼ା ଫାଟକ ନିକଟରେ ଅଘଟଣ: ବଗି ଛାଡ଼ି ଅଧ କିଲୋମିଟର ଆଗେଇ ଗଲା ଇଣ୍ଟରସିଟି ଇଞ୍ଜିନ୍, ଭୟଭୀତ ଯାତ୍ରୀ, ତଦନ୍ତ ଦାବି ।
ବଲାଙ୍ଗୀର,୨୩।୮: ବଲାଙ୍ଗୀର ରେଳୱେ ଷ୍ଟେସନ୍ ନିକଟସ୍ଥ ସୁଦପଡ଼ା ଲେଭଲ୍ କ୍ରସିଂ (ଫାଟକ) ନିକଟରେ ଏକ ବଡ଼ଧରଣର ରେଳ ଅଘଟଣ ଟଳିଯାଇଛି। ବଲାଙ୍ଗୀରରୁ ପୁରୁଣାକଟକ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ୍ର ଇଞ୍ଜିନ୍ଟି ଯାତ୍ରୀବାହୀ ବଗିଗୁଡ଼ିକୁ ପଛରେ ଛାଡ଼ି ପ୍ରାୟ ଅଧ କିଲୋମିଟର (୫୦୦ ମିଟର) ପର୍ଯ୍ୟନ୍ତ ଆଗକୁ ଚାଲିଯାଇଥିଲା। ଏହି ଘଟଣା ଯୋଗୁଁ ଟ୍ରେନ୍ଟି ପ୍ରାୟ ଅଧ ଘଣ୍ଟା କାଳ ସେଠାରେ ଅଟକି ରହିବା ସହ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଷ୍ଟେସନ୍ରୁ ଟ୍ରେନ୍ଟି ବାହାରି ସୁଦପଡ଼ା ଫାଟକ ନିକଟରେ ପହଞ୍ଚିବା ସମୟରେ ହଠାତ୍ ଗାଡ଼ିରେ ଏକ ବିରାଟ ଝଟକା ଅନୁଭୂତ ହୋଇଥିଲା। ଯାାନ୍ତ୍ରିକ ତ୍ରୁଟି ହେତୁ ଟ୍ରେନ୍ର ଇଞ୍ଜିନ୍ଟି ବଗିଗୁଡ଼ିକରୁ ବିଚ୍ଛିନ୍ନ ହୋଇ ଆଗକୁ ପଳାଇଥିଲା। ପରବର୍ତ୍ତୀ ସମୟରେ ଇଞ୍ଜିନ୍କୁ ପଛକୁ ଆଣି ପୁନର୍ବାର ବଗି ସହ ଯୋଡ଼ାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।
ଚଳନ୍ତା ଟ୍ରେନ୍ରୁ ଇଞ୍ଜିନ୍ ଅଲଗା ହୋଇଯିବା ପରେ ଶହ ଶହ ଯାତ୍ରୀ ପ୍ରାଣଭୟରେ ଆକୁଳ ହୋଇପଡ଼ିଥିଲେ। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭୟଭୀତ ଯାତ୍ରୀମାନଙ୍କୁ ଆଶ୍ୱାସନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, “ଲୋକଙ୍କ ଭାଗ୍ୟ ଭଲ ଥିବାରୁ ଆଜି ଏକ ବଡ଼ ଦୁର୍ଘଟଣାରୁ ସମସ୍ତେ ବଞ୍ଚିଗଲେ। ଯାତ୍ରୀଙ୍କ ସୁରକ୍ଷା ସର୍ବପ୍ରଥମ ହେବା କଥା, କିନ୍ତୁ ଏଭଳି ଦାୟିତ୍ୱହୀନତା ଅତ୍ୟନ୍ତ ଦୁଃଖଦାୟକ।”
ଅନ୍ୟପଟେ, ଘଟଣା ସମ୍ପର୍କରେ ଉପସ୍ଥିତ ରେଳବାଇ କର୍ମଚାରୀଙ୍କୁ ଯାତ୍ରୀମାନେ ପ୍ରଶ୍ନ କରିଥିଲେ ମଧ୍ୟ ସେମାନେ କୌଣସି ସ୍ପଷ୍ଟ ଉତ୍ତର ନଦେଇ ଏଡ଼ାଇ ଯାଇଥିବା ଦେଖିବାକୁ ମିଳିଥିଲା।
ଚଳନ୍ତା ଟ୍ରେନ୍ରୁ ଇଞ୍ଜିନ୍ ଅଲଗା ହୋଇଯିବା ଏକ ଗମ୍ଭୀର ଯାାନ୍ତ୍ରିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ଦର୍ଶାଉଛି। ଏହା କାହାର ଅବହେଳା ଯୋଗୁଁ ଘଟିଲା, ସେ ନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦାୟିତ୍ୱହୀନ ଭାବେ କାର୍ଯ୍ୟ କରିଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଯାତ୍ରୀମାନେ ଦୃଢ଼ ଦାବି କରିଛନ୍ତି।

