କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ: ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବିପର୍ଯ୍ୟସ୍ତ ଗ୍ରାମୀଣ ରାସ୍ତାଘାଟ
ଜମନକିରା : ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ଅତ୍ୟନ୍ତ ଦୟନୀୟ ହୋଇ ରହିଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଖର୍ସନମାଲ୍ ପଞ୍ଚାୟତ ଅନ୍ତର୍ଗତ କାଣୀବନ୍ଧଳୀରୁ ବାଘଲତ୍ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାର ଅବସ୍ଥା ଏବେ ପ୍ରଶାସନିକ ଅବହେଳାର ଜ୍ୱଳନ୍ତ ଉଦାହରଣ। ସାମାନ୍ୟ ବର୍ଷାରେ ରାସ୍ତାଟି ଆଣ୍ଠୁଏ କାଦୁଅ ଓ ଖାଲଖମାରେ ପରିଣତ ହୋଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଶେଷରେ ତଳିପଡ଼ା ଓ ବାଘଲତ୍ ଗାଁର ମହିଳାମାନେ କାଦୁଅ ଭର୍ତ୍ତି ରାସ୍ତାରେ ଧାନ ତଳି ରୋଇ ଅଭିନବ ଢଙ୍ଗରେ ତୀବ୍ର ପ୍ରତିବାଦ ଜଣାଇଛନ୍ତି।
କୁଚିଣ୍ଡା ବିଧାୟକ ତଥା ରାଜ୍ୟର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ଏଭଳି ସମସ୍ୟା ଲାଗି ରହିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ନିର୍ବାଚନ ସମୟରେ ପକ୍କା ରାସ୍ତାର ପ୍ରତିଶ୍ରୁତି ମିଳୁଥିଲେ ହେଁ ନିର୍ବାଚନ ପରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଘଲତ୍ ଗାଁର ଗୌନ୍ତିଆପଡ଼ା, ପୁଞ୍ଜିପତରପଡ଼ା, ମଝିପଡ଼ା ଓ ତଳିପଡ଼ାରେ ପ୍ରାୟ ୫୦ରୁ ୬୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁରେ ଏକମାତ୍ର ଅଙ୍ଗନୱାଡ଼ି କେନ୍ଦ୍ର ଥିବା ବେଳେ ଉତ୍ତମ ରାସ୍ତାଘାଟ ଅଭାବରୁ ପିଲାମାନେ ବଡ଼ରମା, ଷଣ୍ଢପଥର ଓ ମୁଣ୍ଢେନପାଲି ଭଳି ଦୂର ସ୍ଥାନର ହଷ୍ଟେଲରେ ରହି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବାର୍ଦ୍ଧକ୍ୟ ଭତ୍ତା, ରାସନ ସାମଗ୍ରୀ କିମ୍ବା ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ପଞ୍ଚାୟତକୁ ଯିବାକୁ ହେଲେ ଏହି କାଦୁଅ ରାସ୍ତା ହିଁ ଏକମାତ୍ର ଭରସା ପାଲଟିଛି, ଯେଉଁଠାରେ ବର୍ଷା ଦିନେ ଚାଲିବା ମଧ୍ୟ ଅସମ୍ଭବ। କେବଳ ବାଘଲତ୍ ନୁହେଁ, ଖର୍ସନମାଲ୍ ପଞ୍ଚାୟତର ସାହାଜବାହାଲ୍ରୁ ଟାଙ୍ଗରପାଲି, କୁମୁକାପାଲିରୁ ଖଇରମାଲ୍, ଭୁବୁରାପାଲରୁ କାଣୀବନ୍ଧଳୀ, କାଣୀବନ୍ଧଳୀରୁ ଖଡ଼ିଆପଡ଼ା ଏବଂ ପଞ୍ଚାୟତ ଅଫିସରୁ ଖର୍ସନମାଲ୍ ଗାଁକୁ ଯାଇଥିବା ରାସ୍ତା ମଧ୍ୟ ଦୀର୍ଘ ଦିନରୁ ମରାମତି ଅପେକ୍ଷାରେ ପଡ଼ିରହିଛି। ଏଥିସହ ତଳିପଡ଼ା ଗାଁରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଙ୍କଟ ଏବଂ କ୍ଲବ୍ ଘର ଅଭାବ ଭଳି ଅନେକ ମୌଳିକ ସମସ୍ୟା ରହିଛି। ଏହି ସମସ୍ୟାର ସମାଧାନ ପାଇଁ ବ୍ଲକ୍ କଂଗ୍ରେସ ସଭାପତି ମନୋଜ ନାଏକ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦୁଇ ମାସ ମଧ୍ୟରେ କାଣୀବନ୍ଧଳୀ-ବାଘଲତ୍ ରାସ୍ତାର ମରାମତି ବା ପକ୍କା ନିର୍ମାଣ କାର୍ଯ୍ୟ ନହେଲେ ବ୍ଲକ୍ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ। ଗ୍ରାମବାସୀ ମଧ୍ୟ ତୁରନ୍ତ ସବୁଦିନିଆ ପିଚୁ ରାସ୍ତା ନିର୍ମାଣ କରିବାକୁ ଦୃଢ଼ ଦାବି କରିଛନ୍ତି।

