ଶିଶୁ-ଅନୁକୂଳ ପରିବେଶ ଓ ସୁରକ୍ଷା ନେଇ ଅଭିଭାବକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସ୍ୱତନ୍ତ୍ର ତାଲିମ
ଜମନକିରା : ଶିଶୁ ଅଧିକାରର ସୁରକ୍ଷା, ସକାରାତ୍ମକ ଲାଳନ-ପାଳନ ଏବଂ ସମାଜରେ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି ଲକ୍ଷ୍ୟରେ ତିଳେଇମାଲ ବ୍ଲକ କଂସର ପଞ୍ଚାୟତସ୍ଥିତ ମିଶନ ଭବନ ପରିସରରେ ଏକ ଦିବସୀୟ ସ୍ୱତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସିଡ଼ି’ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ନେତୃତ୍ୱବୃନ୍ଦ ଅଂଶଗ୍ରହଣ କରି ଶିଶୁ ସୁରକ୍ଷା ପ୍ରତି ସମାଜର ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଶିବିରରେ ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଜାତିସଂଘ ଶିଶୁ ଅଧିକାର ସନ୍ଧି (UNCRC), ଶିଶୁ ସୁରକ୍ଷା ନିୟମାବଳୀ ଓ ସକାରାତ୍ମକ ପାରିବାରିକ ପରିବେଶ ଉପରେ ବିସ୍ତୃତ ଦିଗ୍ଦର୍ଶନ ଦେଇଥିଲେ। ଗ୍ରାମାଞ୍ଚଳ ତଥା ପରିବାରରେ ଶିଶୁଙ୍କ ପ୍ରତି ହେଉଥିବା ହିଂସା, ଅବହେଳା ଓ ଶୋଷଣକୁ ରୋକିବା ସହ ପୀଡ଼ିତ ଶିଶୁଙ୍କୁ ଉପଯୁକ୍ତ ସରକାରୀ ସହାୟତା ଓ ଆଇନଗତ ବ୍ୟବସ୍ଥା ସହ ଯୋଡ଼ିବା ଏବଂ ଶିଶୁଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ତଥା ଭୟମୁକ୍ତ ପରିବେଶ ଗଠନ କରିବା ନେଇ ସେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ‘ସିଡ଼ି’ ସଂଯୋଜକ ସଂସାର ବାଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ତପନ ପ୍ରଧାନ, ସରିତା କୁଅଁର ଓ ବରୁଣ କୁମାର କୁଅଁର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ତାଲିମ ଶିବିରରେ କଂସର ପଞ୍ଚାୟତର ସମସ୍ତ ଏମବିକେ, ସିଆରପି ଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ଅଭିଭାବକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

