କୁଚିଣ୍ଡା ପୂର୍ତ୍ତ ବିଭାଗର ରାସ୍ତା କାମରେ ଅନିୟମିତତା: ଚାଷଜମି ନଷ୍ଟ ଅଭିଯୋଗରେ ଚାଷୀଙ୍କ ବିରୋଧ; ଦେଢ଼ ମାସ ପରେ ବି ଲାଗିନି ସୂଚନା ଫଳକ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବାଇପାସରୁ ଖଇରଡିହି ଦେଇ ସର୍ଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କୁଚିଣ୍ଡା ପୂର୍ତ୍ତ ବିଭାଗ (R & B) ଅଧୀନରେ ଚାଲିଥିବା ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ନିର୍ଦ୍ଧାରିତ ମାପଚୁପ ବାହାରେ ଯାଇ ଠିକା ସଂସ୍ଥା ପକ୍ଷରୁ ମନମୁଖୀ ଭାବେ ରାସ୍ତାକୁ ଅତ୍ୟଧିକ ଚଉଡ଼ା କରାଯାଉଥିବାରୁ ଉଭୟ ପାର୍ଶ୍ୱରେ ଥିବା ରୟତି ଚାଷଜମି ନଷ୍ଟ ହେଉଛି। ଚାଷୀ ମାନେ ଆଗରୁ ମଧ୍ୟ ହୋଇଥିବା ରାସ୍ତାରେ ନିଜ ଜମିରୁ କିଛି କିଛି ଅଂଶ ପ୍ରଦାନ କରି ସାରିଛନ୍ତି। ଏବେ ଅଧିକ ପ୍ରଶସ୍ତିକରଣ ରେ ଅଧିକ କ୍ଷତି ସହିବେ। ଏଥିପାଇଁ ସ୍ଥାନୀୟ ଚାଷୀମାନେ ଏହାକୁ ଦୃଢ଼ ବିରୋଧ କରିବା ସହ ତୁରନ୍ତ ସଠିକ୍ ସରକାରୀ ମାପ ଅନୁଯାୟୀ କାମ କରିବା ପାଇଁ ଠିକା ସଂସ୍ଥାକୁ ତାଗିଦ କରିଛନ୍ତି।
ଅନ୍ୟପକ୍ଷରେ, ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପର ଅଟକଳ ମୂଲ୍ୟ ଓ ବିବରଣୀ ଥିବା ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ହୋଇଥିଲେ ହେଁ ଦେଢ଼ ମାସରୁ ଅଧିକ ସମୟ ଧରି କାମ ଚାଲିବା ପରେ ମଧ୍ୟ କୌଣସି ଫଳକ ଲଗାଯାଇ ନାହିଁ। ଏହାକୁ ନେଇ କାର୍ଯ୍ୟର ସ୍ୱଚ୍ଛତା ଓ ସ୍ଥାୟିତ୍ୱ ଉପରେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ କୁଚିଣ୍ଡା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯଦି ଚାଷୀମାନେ ଆପତ୍ତି ଉଠାଉଛନ୍ତି, ତେବେ ଯେତିକି ଅଂଶରେ ସୁବିଧା ଅଛି କେବଳ ସେହି ରାସ୍ତା କାମ କରାଯିବ ଏବଂ ଯେଉଁ ଚାଷୀମାନେ ବିରୋଧ କରୁଛନ୍ତି ସେମାନଙ୍କ ଜମି ପାର୍ଶ୍ୱରେ କାମ ନ କରିବାକୁ ସମ୍ପୃକ୍ତ ଟିମକୁ ନିର୍ଦ୍ଦେଶ ଦିଆଯାଉଛି। ଏଣୁ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମାପଚୁପ ପୂର୍ବକ ସୂଚନା ଫଳକ ଲଗାଇ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

