Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ପୁଣି ସାମ୍ନାକୁ ଆସିଲା ଶବ ବୋହିବାର କରୁଣ ଦୃଶ୍ୟ !

ବଲାଙ୍ଗୀର,୨୪।୮: ସରକାରୀ ସ୍ୱାସ୍ଥ୍ୟସେବାର ଅସଲ ଚେହେରା ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପୁଣି ଥରେ ସାମ୍ନାକୁ ଆସିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଶବବାହକ ଗାଡ଼ି କିମ୍ବା ଆମ୍ବୁଲାନ୍ସ ନମିଳିବାରୁ ଜଣେ ୧୨ ବର୍ଷର ମୃତ ନାବାଳିକାର ଶବକୁ ବାଇକ ରେ ବୋହି ନେବାକୁ ବାଧ୍ୟ ହୋଇଛନ୍ତି ଅସହାୟ ପରିବାର ଲୋକେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖଇରପଦର ଗ୍ରାମର ୧୨ ବର୍ଷୀୟା ନାବାଳିକା ସୂର୍ଯ୍ୟକାନ୍ତି ଛୁରା ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ୍ୟୁ ପରେ ମୃତଦେହକୁ ନିଜ ଗାଁକୁ ନେବା ପାଇଁ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇଦେବାକୁ ଅନୁରୋଧ କରିଥିଲେ। ମାତ୍ର ଦୀର୍ଘ ୨ ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ କୌଣସି ଗାଡ଼ି ମିଳିନଥିଲା। ଶେଷରେ କୌଣସି ଉପାୟ ନପାଇ ଅସହାୟ ପରିବାର ଲୋକେ ନାବାଳିକାର ଶବକୁ ବାଇକ୍ ମଝିରେ ବସାଇ ନିଜ ଗାଁକୁ ନେବାକୁ ବାଧ୍ୟ ହୋଇଥିଲେ।
ନିୟମ ଅନୁଯାୟୀ, ଡାକ୍ତରଖାନାରେ କୌଣସି ଅସ୍ୱାଭାବିକ କିମ୍ବା ନାବାଳିକାର ମୃତ୍ୟୁ ଘଟିଲେ ଦାୟିତ୍ୱରେ ଥିବା ଡାକ୍ତର ତୁରନ୍ତ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ସହ ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଶବଚ୍ଛେଦ (ପୋଷ୍ଟମୋର୍ଟମ୍) ପ୍ରକ୍ରିୟା ଶେଷ କରି ଶବବାହକ ଗାଡ଼ିରେ ଘରକୁ ପଠାଇବା କଥା। ମାତ୍ର ଏଠାରେ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି।
ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କଣ୍ଟାବାଞ୍ଜି ଡାକ୍ତରଖାନା ପାଇଁ ଶବବାହକ ଗାଡ଼ି ବ୍ୟବସ୍ଥା ଥିବା ସତ୍ତ୍ୱେ ତାହା ପ୍ରକୃତ ସମୟରେ ରୋଗୀଙ୍କ କାମରେ ଲାଗୁନଥିବାରୁ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏହି ଡାକ୍ତରଖାନାରୁ ଶବ କାନ୍ଧରେ କିମ୍ବା ବାଇକ୍ରେ ବୋହିବାର ନଜିର ରହିଛି। ଡାକ୍ତରଖାନାର କର୍ମଚାରୀଙ୍କ ଅବହେଳା ଓ କାର୍ଯ୍ୟଦକ୍ଷତା ଉପରେ ଏବେ ଗମ୍ଭୀର ପ୍ରଶ୍ନ ଉଠିଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories