ମା’ ଦ୍ୱାରସେନୀ ମନ୍ଦିର ଚୋରି: ୧୫ ଦିନ ପରେ ବି ପୋଲିସ ହାତ ଖାଲି, ସିନ୍ଧେକେଲା ବନ୍ଦ ଓ ଥାନା ଘେରାଉ ।
ବଲାଙ୍ଗୀର,୨୫।୮: ସିନ୍ଧେକେଲାର ପ୍ରସିଦ୍ଧ ମା’ ଦ୍ୱାରସେନୀ ଦେବୀ ମନ୍ଦିରରୁ ଚୋରି ଘଟଣାକୁ ୧୫ ଦିନ ବିତିଯାଇଥିଲେ ବି ପୋଲିସ ଚୋରଙ୍କ କୌଣସି ସୁରାକ୍ ପାଇପାରି ନାହିଁ। ପୋଲିସର ଏହି ନିଷ୍କ୍ରିୟତା ବିରୋଧରେ ଆଜି ଆଦିବାସୀ କଲ୍ୟାଣ ସଂଘ, ନାଗରିକ ମଞ୍ଚ କମିଟି ଓ ବ୍ୟବସାୟୀ ସଂଘର ମିଳିତ ଆହ୍ୱାନରେ ସିନ୍ଧିକେଲା ସହର ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଥାନା ଘେରାଉ କରାଯାଇଛି।
ଗତ ଅଗଷ୍ଟ ୮, ୨୦୨୬ରେ ମନ୍ଦିରରୁ ସୁନା-ରୁପା ଅଳଙ୍କାର ସମେତ ହୁଣ୍ଡି ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
ପୋଲିସ ବିଫଳତା ପ୍ରତିବାଦରେ ଆଜି ସିନ୍ଧେକେଲା ସହରରେ ସମସ୍ତ ଦୋକାନ-ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ସକାଳ ୯ଟାରେ ମନ୍ଦିର ପରିସରରେ ଶତାଧିକ ଲୋକ ଏକାଠି ହୋଇଥିଲେ। ଆଦିବାସୀ ସଂଘର ନେତା ଶରତ ଚନ୍ଦ୍ର ସିଂ ଭୋଇ, ଗିରିରାଜ ସିଂ ମାଝୀ, ଏବଂ ନାରୀନେତ୍ରୀ ନିରୂପମା ମାଝିଙ୍କ ନେତୃତ୍ୱରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୁରୁଷ ଓ ମହିଳାମାନେ ଏକ ବିଶାଳ ପଦଯାତ୍ରାରେ ଥାନା ଘେରାଉ କରିଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମାଲିକ ଓ ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।
ତୁରନ୍ତ ଦୋଷୀଙ୍କୁ ଗିରଫ କରିବା, ଚୋରି ସାମଗ୍ରୀ ଉଦ୍ଧାର କରିବା ଏବଂ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରାଯାଇଛି।
ପ୍ରଶାସନିକ ବୁଝାଶୁଝା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲେ ବି, ୧୫ ଦିନ ଧରି ଚୋରଙ୍କୁ ଧରିବାରେ ବିଫଳ ହୋଇଥିବା ପୋଲିସ ଏବେ ଆନ୍ଦୋଳନ ପରେ କେତେ ଶୀଘ୍ର ତଦନ୍ତ ଆଗକୁ ବଢ଼ାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

