ଜମନକିରା ବଜାରରେ ଶୌଚାଳୟ ସମସ୍ୟା ଉତ୍କଟ: ମହିଳା ଓ ବରିଷ୍ଠ ନାଗରିକ ହନ୍ତସନ୍ତ, ପିପିପି ମୋଡ୍ରେ ସୁଲଭ ଶୌଚାଳୟ ନିର୍ମାଣ ପାଇଁ ଦାବି
ଜମନକିରା : ସମ୍ବଲପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ପାଲଟିଥିବା ଜମନକିରା ବ୍ଲକ ମୁଖ୍ୟାଳୟରେ ଏବେ ମୌଳିକ ସୁବିଧାର ଘୋର ଅଭାବ ଦେଖିବାକୁ ମିଳିଛି। ଏହି ସହରଟି ଆଖପାଖର ୩୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକଙ୍କ ଯାତାୟାତ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ-ବିକ୍ରୟର ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ, ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ମହିଳା, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ଯାତ୍ରୀ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି। ସହରରେ ବର୍ତ୍ତମାନ ୩୦ରୁ ଅଧିକ ଛୋଟବଡ଼ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗଢ଼ି ଉଠିଛି ଏବଂ ଦୈନିକ ୩୦ରୁ ୪୦ଟି ଯାତ୍ରୀବାହୀ ବସ୍ ଏହି ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଛି। ଏଠାରେ ସମ୍ବଲପୁର ଜିଲ୍ଲା ସମେତ ସୁନ୍ଦରଗଡ, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ସଙ୍ଗମସ୍ଥଳୀ ଅଟେ। ମାତ୍ର ଏତେ ବଡ଼ ବ୍ୟସ୍ତବହୁଳ ସହରରେ ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ତଥା ସ୍ୱଚ୍ଛ ସାର୍ବଜନୀନ ଶୌଚାଳୟ ନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରେ ଥିବା ଏକମାତ୍ର ଶୌଚାଳୟଟି ଜଳାଭାବ ଓ ନିୟମିତ ରକ୍ଷଣାବେକ୍ଷଣ ବିନା ଅବ୍ୟବସ୍ଥା ଘେରରେ ପଡ଼ିରହିଛି, ଯାହା ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ବିଶେଷ କରି ସୁଦୂର ଗ୍ରାମାଞ୍ଚଳରୁ ବ୍ୟବସାୟ ଓ କାମଧନ୍ଦା ପାଇଁ ଆସୁଥିବା ମହିଳା ଏବଂ ବୃଦ୍ଧବୃଦ୍ଧାମାନେ ଲଜ୍ଜାଜନକ ପରିସ୍ଥିତିର ଶିକାର ହେଉଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବଜାରରେ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଅସ୍ଥାୟୀ କିମ୍ବା ମୋବାଇଲ୍ ଶୌଚାଳୟର ବ୍ୟବସ୍ଥା ନକଲେ ଲୋକେ ବାଧ୍ୟ ହୋଇ ରାସ୍ତାକଡ଼ରେ ପରିସ୍ରା କରିବେ, ଯାହା ପରିବେଶକୁ ପ୍ରଦୂଷିତ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟକୁ ଧୂଳିସାତ୍ କରିବ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର ନକରି ସରକାରୀ- ବେସରକାରୀ ସହଭାଗିତା (PPP Model) ମାଧ୍ୟମରେ ଏକ ‘ସୁଲଭ ଶୌଚାଳୟ’ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଶାସନ ତରଫରୁ ଏକ ଉନ୍ନତମାନର ଶୌଚାଳୟ ଗୃହ ନିର୍ମାଣ କରାଗଲେ, ତାର ନିୟମିତ ପରିଚାଳନା, ସଫେଇ ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ସ୍ଥାନୀୟ ବ୍ୟବସାୟୀ ସଂଘ ହାତକୁ ନେଇପାରିବେ। ଏହାଦ୍ୱାରା ଶୌଚାଳୟଟି ସର୍ବଦା ପରିଷ୍କାର ରହିବା ସହ ଲୋକଙ୍କୁ ନିରବଚ୍ଛିନ୍ନ ସେବା ମିଳିପାରିବ। ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ତୁରନ୍ତ ଏହି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

