Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରିବାରିକ କଳହରୁ ଶ୍ୱଶୁରଙ୍କୁ କଟୁରୀରେ ହାଣି ହତ୍ୟା ; ଅଭିଯୁକ୍ତ ଜ୍ୱାଇଁ ଗିରଫ

ଜମନକିରା : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ମହୁଲଛାପାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦର ସମାଧାନ କରିବାକୁ ଆସିଥିବା ଶ୍ୱଶୁରଙ୍କୁ ଜୋଇଁ ଧାରୁଆ କଟୁରୀରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଜୋଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପିଣ୍ଡାପଥର ଗ୍ରାମର କାଲୋ କଚ୍ଛପଙ୍କ ଝିଅ ଅନୀତା କିଷାନ ମହୁଲଛାପାଲ ଗ୍ରାମର ଆନ୍ଥୋନୀ ଓରଫ୍ ଅନ୍ତର୍ଯ୍ୟାମୀ କିଷାନ (୩୧)ଙ୍କୁ ବିବାହ କରିଥିଲେ। ତେବେ ବିବାହ ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା। ଗତ ୨୫ ତାରିଖ ଦିନ ଉଭୟଙ୍କ ମଧ୍ୟରେ ପୁଣି ବିବାଦ ହେବାରୁ ଅନୀତା ନିଜ ବାପଘର ପିଣ୍ଡାପଥରକୁ ଚାଲିଯାଇଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଶ୍ୱଶୁର କାଲୋ କଚ୍ଛପ ଜୋଇଁ ଆନ୍ଥୋନୀଙ୍କ ଘରକୁ ଆସିଥିଲେ। ୨୬ ତାରିଖ ସକାଳେ ଆନ୍ଥୋନୀଙ୍କ ଘରେ କାଲୋ କଚ୍ଛପ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିବାରିକ କଳହ ଉଗ୍ରରୂପ ନେବାରୁ ଆନ୍ଥୋନୀ ଏକ ଧାରୁଆ କଟୁରୀ ସାହାଯ୍ୟରେ ଶ୍ୱଶୁରଙ୍କୁ ହାଣି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମୃତକଙ୍କ ବଡ଼ ଝିଅ ପଦ୍ମା ବାଘ ଏନେଇ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୧୨୮/୨୦୨୬ (ଦଫା ୧୦୩(୧) BNS) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ଆନ୍ଥୋନୀ କିଷାନକୁ ଗିରଫ କରି କୁଚିଣ୍ଡା SDJM କୋର୍ଟକୁ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories