ଫାସିମାଲ ଲ୍ୟାମ୍ପସରେ ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଅସନ୍ତୋଷ: ଦଲାଲରାଜ ଓ ଅବ୍ୟବସ୍ଥା, ଅଭିଯୋଗ କୁ ଖଣ୍ଡନ କଲେ ଏମଡି…
ଜମନକିରା: ଫାସିମାଲ ଲ୍ୟାମ୍ପସରେ ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଅସନ୍ତୋଷ: ଦଲାଲରାଜ ଓ ଅବ୍ୟବସ୍ଥା, ଅଭିଯୋଗ କୁ ଖଣ୍ଡନ କଲେ ଏମଡି…
* ପ୍ରତିଦିନ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ଭିଡ଼; ସିରିଏଲ ବ୍ୟବସ୍ଥା ଓ ଭିତ୍ତିଭୂମି ଅଭାବରୁ ଚାଷୀ ହନ୍ତସନ୍ତ ଅଭିଯୋଗ
* ବାହାରେ ଫର୍ମ ବିକ୍ରି ଓ ଦଲାଲଙ୍କ ହସ୍ତକ୍ଷେପ ନେଇ ପ୍ରଶାସନ ନିକଟରେ ଫେରାଦ ହେଲେ ଚାଷୀ
* ସବୁ ଅଭିଯୋଗକୁ ଖଣ୍ଡନ କଲେ ଲ୍ୟାମ୍ପସ ଏମଡି; କହିଲେ— ପର୍ଯ୍ୟାପ୍ତ ଚେୟାର ଓ ପାଣି ବ୍ୟବସ୍ଥା ରହିଛି, ସମୟସୀମା ବଢ଼ିଲେ ସମସ୍ୟା ରହିବ ନାହିଁ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଜମନକିରା ବ୍ଲକର ଫାସିମାଲ ସେବା ସମବାୟ ସମିତି (ଲ୍ୟାମ୍ପସ) ପରିସରରେ ଚଳିତ ଖରିଫ ଋତୁ ପାଇଁ ଧାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫାସିମାଲ ଅଧୀନରେ ଥିବା ପ୍ରାୟ ୮/୯ ଟି ପଞ୍ଚାୟତରୁ ପ୍ରତିଦିନ ୧୦୦୦ ରୁ ୧୫୦୦ ଚାଷୀ ଆସୁଥିବା ବେଳେ ମାତ୍ର ୨୦୦ ରୁ ୨୫୦ ଚାଷୀଙ୍କ ପଞ୍ଜୀକରଣ ହୋଇପାରୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ, ଲ୍ୟାମ୍ପସରେ ୫ଟି କମ୍ପ୍ୟୁଟର ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ରହିଛି ଏବଂ ଇଣ୍ଟରନେଟ୍ ସେବା ଧୀର ଥିବାରୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଦଲିଲ୍ ଗ୍ରହଣ କରିବା ପାଇଁ କୌଣସି ଟୋକନ ବା ସିରିଏଲ୍ ବ୍ୟବସ୍ଥା ନଥିବାରୁ ବୃଦ୍ଧ, ଅସହାୟ ତଥା ମହିଳା ଚାଷୀମାନେ ୪ ରୁ ୧୦ ଦିନ ଧରି ଧାଡ଼ିରେ ଛିଡ଼ା ହୋଇ ନିରାଶ ହୋଇ ଫେରୁଛନ୍ତି। ଏହାସହ କିଛି ମଧ୍ୟସ୍ଥି ବା ଦଲାଲ ସିଧାସଳଖ ଅଫିସରେ ପଶି କାମ କରାଇ ନେଉଥିବା ଏବଂ ବାହାରେ କୁବେର ମାର୍କେଟ କମ୍ପ୍ଲେକ୍ସ ନିକଟରେ ଚାଷୀଙ୍କ ଠାରୁ ଫର୍ମ ପିଛା ଟଙ୍କା ଆଦାୟ କରାଯାଉଥିବା ନେଇ ଚାଷୀନେତା ହରମୋହନ ପଟେଲ କୁଚିଣ୍ଡା ସବ୍-କଲେକ୍ଟର, ଜମନକିରା ବିଡ଼ିଓ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅପରପକ୍ଷରେ, ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଫାସିମାଲ ଲ୍ୟାମ୍ପସ ଏମଡି ଡେଭିଡ ପଟେଲ। ସେ କହିଛନ୍ତି ଯେ, “ଲ୍ୟାମ୍ପସରେ କୌଣସି ଦଲାଲ କାର୍ଯ୍ୟ କରୁନାହାନ୍ତି କିମ୍ବା କୌଣସି ଅବ୍ୟବସ୍ଥା ନାହିଁ। ଚାଷୀମାନଙ୍କ ବସିବା ପାଇଁ ୭୦ରୁ ଅଧିକ ଚେୟାର ପକାଯାଇଛି ଏବଂ ପାନୀୟ ଜଳ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ଭିଡ଼ ହେଉଛି, ଯଦି ସରକାର ପଞ୍ଜୀକରଣର ସମୟସୀମା ବୃଦ୍ଧି କରନ୍ତି ତେବେ କୌଣସି ଅସୁବିଧା ରହିବ ନାହିଁ ଏବଂ ସମସ୍ତ ଚାଷୀଙ୍କ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ଚାଷୀ ଓ ଲ୍ୟାମ୍ପସ ପ୍ରଶାସନର ଭିନ୍ନ ଭିନ୍ନ ମତ ମଧ୍ୟରେ ସାଧାରଣ ଚାଷୀ ଯେପରି ହନ୍ତସନ୍ତ ନହୁଅନ୍ତି, ସେଥିପାଇଁ ପଞ୍ଚାୟତୱାରୀ ତାରିଖ ଧାର୍ଯ୍ୟ କରିବା, ଟୋକନ ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ସ୍ଥାନୀୟ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

