ଜମନକିରା ବ୍ଲକ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚରମ ଅବ୍ୟବସ୍ଥା: ୬୦ ଦଶକର ପୁରୁଣା ଗୃହ ଭୁଶୁଡ଼ିବା ସ୍ଥିତିରେ, ଅଧାପନ୍ତରିଆ ଶୌଚାଳୟ ଓ ହଳଦିଆ ପାଣିରେ ୧୬୨ ପିଲାଙ୍କ ଜୀବନ ବିପନ୍ନ
ଜମନକିରା : ଜମନକିରା ବ୍ଲକ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚରମ ଅବ୍ୟବସ୍ଥା: ୬୦ ଦଶକର ପୁରୁଣା ଗୃହ ଭୁଶୁଡ଼ିବା ସ୍ଥିତିରେ, ଅଧାପନ୍ତରିଆ ଶୌଚାଳୟ ଓ ହଳଦିଆ ପାଣିରେ ୧୬୨ ପିଲାଙ୍କ ଜୀବନ ବିପନ୍ନ
* ଦୀର୍ଘ ବର୍ଷର ପୁରୁଣା କୋଠରୀ ସବୁ ଭାଙ୍ଗିରୁଜି ଫାଟି ଆଁ, ଦୁର୍ଘଟଣା ଆଶଙ୍କାରେ ପ୍ରଧାନ ଶିକ୍ଷକ ଓ କର୍ମଚାରୀ
* ସମସ୍ୟାକୁ ଗମ୍ଭୀରତାର ସହ ନେଇ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
ଜମନକିରା :
ରାଜ୍ୟ ସରକାର ଶିକ୍ଷା ଭିତ୍ତିଭୂମିର ଉନ୍ନତୀକରଣ ଓ ବିଦ୍ୟାଳୟ ରୂପାନ୍ତରଣ ନେଇ ବଡ଼ ବଡ଼ ଦାବି କରୁଥିବା ବେଳେ ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟର ବାସ୍ତବ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ (ଅପଗ୍ରେଡେଡ୍) ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଚରମ ଅବ୍ୟବସ୍ଥା ଓ ଦୁରବସ୍ଥା ଦେଖିବାକୁ ମିଳିଛି। ଶିଶୁବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୬୨ ଜଣ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀଗୃହର ଘୋର ଅଭାବ ସାଙ୍ଗକୁ ବିପଦସଙ୍କୁଳ ପରିବେଶ ମଧ୍ୟରେ ପାଠପଢ଼ା ଚାଲିଛି।
୧୯୬୧ ମସିହାର ପୁରୁଣା ଘର, ଭାଙ୍ଗିରୁଜି ଫାଟି ଆଁ:
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନିରାମ ବେହେରାଙ୍କ କହିବା ଅନୁଯାୟୀ, ଏହି ବିଦ୍ୟାଳୟଟି ୧୯୬୧ ମସିହାରୁ ଆରମ୍ଭ ହୋଇଥିଲା। ଦୀର୍ଘ ଦଶନ୍ଧି ବିତିଯାଇଥିଲେ ମଧ୍ୟ ସେହି ପୁରୁଣା ଢାଞ୍ଚାରେ ଘରଗୁଡ଼ିକ ରହିଛି। ବର୍ତ୍ତମାନ ଏହି ପୁରୁଣା କୋଠରୀଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି, କାନ୍ଥଗୁଡ଼ିକରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି ଏବଂ କାଠ ଛାତ ଭାଙ୍ଗି ତଳକୁ ଝୁଲୁଛି। ପ୍ରଧାନ ଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ସୁନିତା ମାଝୀ, ରିତାଞ୍ଜଳୀ ନାୟକ, ଜ୍ୟୋତିର୍ମୟୀ ନାୟକ ଏବଂ ଶିକ୍ଷକ ସୋମବାର ସିଂହ ପ୍ରମୁଖ ଉକ୍ତ ଭଙ୍ଗାରୁଜା କୋଠରୀଗୁଡ଼ିକୁ ବୁଲାଇ ଦେଖାଇବା ସହ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ଥିବାରୁ ପିଲାମାନଙ୍କୁ ସେହି ବିପଦସଙ୍କୁଳ ଘରଗୁଡ଼ିକଠାରୁ ଦୂରରେ ରଖାଯାଉଛି।
ଅଧାପନ୍ତରିଆ ଶୌଚାଳୟ ଓ ଜଳବନ୍ଦୀ ସମସ୍ୟା:
ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଯେଉଁ ପୁରୁଣା ଟଏଲେଟ୍ ରହିଛି ତାହା ସମ୍ପୂର୍ଣ୍ଣ ରୂପେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ବର୍ଷା ଦିନରେ ଏହାର ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ପିଲାମାନେ ସେଠାକୁ ଯାଇପାରୁ ନାହାନ୍ତି। ଫଳରେ ବିଶେଷ କରି ଛାତ୍ରୀମାନେ ନିତ୍ୟକର୍ମ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଯାହା ସ୍ୱଚ୍ଛତା ଓ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହଳଦିଆ ପାଣି ପିଉଛନ୍ତି କୋମଳମତି ପିଲା:
ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ନଳକୂପରୁ ବାହାରୁଥିବା ପାଣି କିଛି ସମୟ ରଖିଦେଲେ ସମ୍ପୂର୍ଣ୍ଣ ହଳଦିଆ ପଡ଼ିଯାଉଛି। ଏଭଳି ଦୂଷିତ ଓ ଅସ୍ୱାସ୍ଥ୍ୟକର ପାଣି ପିଇବା ଦ୍ୱାରା ୧୬୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳବାହିତ ରୋଗ ବ୍ୟାପିବାର ଭୟ ସର୍ବଦା ଲାଗି ରହିଛି। ପୂର୍ବରୁ ଏସବୁ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଇଓ (BEO) ଓ ବିଡିଓ (BDO)ଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।
ଶୀଘ୍ର ସମାଧାନ ହେବ: DEO
ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଲକ୍ଷ୍ମଣ ଭୋଇଙ୍କ ସହ ଯୋଗାଯୋଗ କରି ପଚାରିବାରୁ, ସେ ଏହି ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏହି ପ୍ରତିଶ୍ରୁତି ପରେ ବିଦ୍ୟାଳୟର ସମସ୍ୟା କେବେ ସମାଧାନ ହେଉଛି ଏବଂ କୋମଳମତି ଛାତ୍ରଛାତ୍ରୀମାନେ କେବେ ଏକ ସୁରକ୍ଷିତ ପରିବେଶ ପାଉଛନ୍ତି, ତାହା ଉପରେ ଏବେ ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀଙ୍କ ନଜର ରହିଛି।

