କୁଚିଣ୍ଡାରେ ନିଶା କାରବାର ପର୍ଦ୍ଦାଫାସ: କଫ୍ ସିରପ୍ ଓ ନିଶା ଟାବଲେଟ୍ ସହ ଯୁବକ ଗିରଫ, କୋର୍ଟ ଚାଲାଣ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବେଆଇନ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବରପାଲି ନୂଆପଡ଼ାର ରିଙ୍କୁ ପାତ୍ର (୨୧)। ସେ ବର୍ତ୍ତମାନ କୁଚିଣ୍ଡା ଥାନା ଅଧୀନ ବଡ଼ପଡ଼ାଠାରେ ରହୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (୨୯ ତାରିଖ) ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଡ଼ ଗ୍ରାମ ନିକଟରେ ଚଢ଼ାଉ କରିଥିଲା। ସେଠାରୁ ରିଙ୍କୁ ପାତ୍ରଙ୍କୁ କାବୁ କରାଯାଇ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ହୋଇଥିଲା।
ଜବତ ସାମଗ୍ରୀ:
* ୨୦ ବୋତଲ ୱିନସେରେକ୍ସ କାଫ୍ ସିରପ୍
* ୧୦ ଷ୍ଟ୍ରିପ୍ ନାଇଟ୍ରାଜେପାମ୍ ନିଶା ଟାବଲେଟ୍
* ୧ ଲିଟର ଅପମିଶ୍ରିତ ତରଳ ପଦାର୍ଥ
* ୧୦ ଟି ଓଏସ୍ ପାଉଚ୍
* ଗୋଟିଏ ପକେଟ୍ ଡାଏରୀ ଓ ନମ୍ବର ବିହୀନ ଗୋଟିଏ ଆକ୍ଟିଭା ସ୍କୁଟି
ଏହି ଘଟଣାରେ କୁଚିଣ୍ଡା ଥାନାରେ କେସ୍ ନଂ ୧୮୮/୨୦୨୬, ଦଫା ୨୭୬/୨୭୭ ବିଏନ୍ଏସ୍ (BNS) ଏବଂ ଓଡ଼ିଶା ଅବକାରୀ ଆଇନର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ବେଆଇନ ନିଶା କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

