କିଡ଼ନୀ ରୋଗରେ ପୂର୍ବତନ ସରପଞ୍ଚ ସନ୍ତୋଷ ପଧାନ ଙ୍କ ପରଲୋକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ପଧାନ (୩୩) ଙ୍କ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ସେ ଗତ ୫ ତାରିଖରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କୁ ଜ୍ୱର ହେବାରୁ ତାଙ୍କୁ ବୁର୍ଲ୍ଲା ମେଡିକାଲ କୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କୁ କିଡନୀ ରୋଗ ହୋଇଥିବା ଜଣା ପଡ଼ିଥିଲା। ସନ୍ତୋଷ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଗତ କାଲି ବିଳମ୍ବିତ ରାତ୍ରୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଗତ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ କେନଝିରିଆପାଲି ପଂଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇ ଥିଲେ। ସେ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ବାଘରତୈଲା ଗ୍ରାମର ରମେଶ ପଧାନ ଙ୍କ ବଡ଼ପୁଅ ଅଟନ୍ତି। ସେ ଅବିବାହିତ ଥିଲେ। ସୋମବାର ପୂର୍ବାହ୍ନ ରେ ତାଙ୍କ ମୃତଦେହ ତାଙ୍କ ଗ୍ରାମ ବାଘରତୈଲା କୁ ଅଣାଯାଇ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ସାନଭାଇ ସନତ ପଧାନ ମୁଖଗ୍ନୀ ଦେଇଥିଲେ । ସେ ଜଣେ ମେଳାପୀ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳର ଅନେକ ବ୍ୟକ୍ତି ବିଶେଷ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।

