Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଓ ସୁବଳୟା ଥାନା ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ନାଇଟ ପେଟ୍ରୋଲିଂ ଦାବି

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର ଉପାନ୍ତ ଓ ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ପେଟ୍ରୋଲିଂ ହେଉ ନ ଥିବାରୁ ବିଭିନ୍ନ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ଅଭିଯୋଗ ହୋଇଛି। ଏଣୁ ଏହି ସବୁ ଦୁର୍ଗମ ଓ ସୀମାବର୍ତ୍ତୀ ଅଞ୍ଚଳରେ ନିୟମିତ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ବୀରମହାରାଜପୁର ବ୍ଲକରେ ବୀରମହାରାଜପୁର ଓ ସୁବଳୟା ନାମରେ ଦୁଇଟି ଥାନା ରହିଥିବାବେଳେ ଠେଙ୍ଗୋ ଡ୍ୟାମଠାରେ ଏକ ପୋଲିସ ଫାଣ୍ଡି ରହିଛି। ଥାନା ନିକଟବର୍ତ୍ତୀ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ହେଉଥିବାବେଳେ ଦୂରଦୂରାନ୍ତ ଉପାନ୍ତ ଅଞ୍ଚଳଗୁଡ଼ିକରେ ପେଟ୍ରୋଲିଂ ପର୍ଯ୍ୟାପ୍ତ ହେଉ ନ ଥିବା ଅଭିଯୋଗ ଉଠିଛି।
ବୀରମହାରାଜପୁର ଥାନା ସୀମାକୁ ଲାଗି ସମ୍ବଲପୁର ଜିଲ୍ଲାର ଚାରମାଳ ଥାନା ଅଞ୍ଚଳ ରହିଥିବାବେଳେ ସୁବଳୟା ଥାନା ସୀମାକୁ ଲାଗି ରେଢାଖୋଲ ଥାନା ଅଞ୍ଚଳ ରହିଛି। ଏହି ସୀମାବର୍ତ୍ତୀ ଅଞ୍ଚଳ ଅଧୀନରେ ଦୁର୍ଜନତୈଲା, ବହଳପଦର, ଖଣ୍ଡହତା, ସଂଗ୍ରାମପୁର, ପିତାମହୁଲ, ସୁବଳୟା ଓ କମିରା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମ ରହିଛି। ଅଧିକାଂଶ ଅଞ୍ଚଳ ଜଙ୍ଗଲ ଓ ନିଛାଟିଆ ହୋଇଥିବାରୁ ରାତି ସମୟରେ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଉଛି।
ପୂର୍ବରୁ ରେଢାଖୋଲ ଓ ଚାରମାଳ ଥାନା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଘଟଣା ସାମ୍ନାକୁ ଆସିଥିବାରୁ ଏହି ସୀମାବର୍ତ୍ତୀ ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଦେଖାଯାଉଛି। ତେଣୁ ଏହି ସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।
ପୋଲିସ ପେଟ୍ରୋଲିଂ ଅଭାବରୁ ବିଭିନ୍ନ ସ୍ଥାନରେ ଚୋରି, ଲୁଟ୍, ଗୁଣ୍ଡାଗର୍ଦ୍ଦି ଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି। ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ଗ୍ରୀଡ୍‌ ନିକଟସ୍ଥ ପଲସାବୁରି ଅଞ୍ଚଳରେ ରାତି ସମୟରେ କେତେକ ଅସାମାଜିକ ଓ ମଦ୍ୟପ ଯୁବକ ଏକୁଟିଆ ଯାତ୍ରୀଙ୍କୁ ହଇରାଣ କରି ଜୋରଜବରଦସ୍ତି ଅର୍ଥ ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ସେହିପରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବାରୁ ରାସ୍ତାଘାଟରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢୁଥିବା ଅଭିଯୋଗ ହୋଇଛି। ସୀମାବର୍ତ୍ତୀ ଅଞ୍ଚଳ ଦେଇ ଚୋରା ମଦ, ବନ୍ୟଜନ୍ତୁ ମାଂସ ଓ ମୂଲ୍ୟବାନ କାଠ ଆଦି ଚାଲାଣ ହେଉଥିବା ନେଇ ସୀମାନ୍ତ ଗୁଦୁଗୁଦା ଗ୍ରାମର ଜଣେ ବ୍ୟକ୍ତି ନାମ ପ୍ରକାଶ ନ କରି ଅଭିଯୋଗ କରିଛନ୍ତି। ବୌଦ୍ଧ ଅଞ୍ଚଳରୁ ବେଆଇନ ନିଶାଦ୍ରବ୍ୟ ଏହି ରାସ୍ତା ଦେଇ ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ଉପାନ୍ତ ଅଞ୍ଚଳର ଜଙ୍ଗଲ ଭିତରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତିଲିମୁଣ୍ଡା, କୁନ୍ଦପାଲ, କୁଞ୍ଜାପାଲି, ସାଗଯୁରୀ, ପୁଇପାଣ, ଚୌକାଦାଦର, ବଡ଼କିରାସିରା, ସାନକିରାସିରା, ସାହାଜଲଥା, ସଂଗ୍ରାମପୁର ଓ ଗରିଆମୁଣ୍ଡା ଆଦି ଅଞ୍ଚଳରେ ଏଭଳି କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ଠେଙ୍ଗୋ ଡ୍ୟାମରେ ଏକ ପୋଲିସ ଫାଣ୍ଡି ରହିଥିଲେ ମଧ୍ୟ ଆବଶ୍ୟକୀୟ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ ଯୋଗୁ ଏହାର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠୁଛି। ସନ୍ଧ୍ୟା ପରେ ଫାଣ୍ଡିରେ ତାଲା ପଡୁଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଲୁତୁରପଙ୍କ ଗ୍ରାମର ରଘୁ ପ୍ରଧାନ କହିଛନ୍ତି, ଅଞ୍ଚଳରେ ନିୟମିତ ପୋଲିସ ପେଟ୍ରୋଲିଂ ହେଉ ନ ଥିବାରୁ ଅନେକ ସମୟରେ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବଢୁଛି। ତେଣୁ ପ୍ରତ୍ୟହ ଏହି ସବୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରାଯିବା ଆବଶ୍ୟକ।
ସେହିପରି ଖଣ୍ଡହତା ଗ୍ରାମର ଆଇନଜୀବୀ ବ୍ରଜାନନ୍ଦ ସାହୁ କହିଛନ୍ତି, ଉପାନ୍ତ ଅଞ୍ଚଳରେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ଅଭିଯୋଗ ରହିଛି। ମାତ୍ର ଏହି ସବୁ ଅଞ୍ଚଳରେ ନିୟମିତ ପେଟ୍ରୋଲିଂ ହେଉ ନ ଥିବାରୁ ଅପରାଧୀମାନେ ସକ୍ରିୟ ହେଉଥିବା ସେ କହିଛନ୍ତି। ଏଣୁ ପୋଲିସ ପେଟ୍ରୋଲିଂ ବଢ଼ାଇବାକୁ ସେ ଦାବି କରିଛନ୍ତି।
ଏନେଇ ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ କହିଛନ୍ତି, ବୀରମହାରାଜପୁର ଥାନାରୁ ଉପାନ୍ତ ଅଞ୍ଚଳଗୁଡ଼ିକ ପ୍ରାୟ ୨୫ରୁ ୩୦ କିଲୋମିଟର ଦୂରରେ ରହିଛି। ଠେଙ୍ଗୋ ଡ୍ୟାମରେ ଥିବା ଫାଣ୍ଡି ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପେଟ୍ରୋଲିଂ ପାଇଁ ଗାଡ଼ିର ବ୍ୟବସ୍ଥା ହେଲେ ସମସ୍ୟାର ଅନେକାଂଶ ସମାଧାନ ହୋଇପାରିବ।
ସୁବଳୟା ଥାନା ଅଧିକାରୀ ପଞ୍ଚାନନ ନାଏକ କହିଛନ୍ତି, ପୋଲିସ ପକ୍ଷରୁ ପ୍ରତ୍ୟହ ପେଟ୍ରୋଲିଂ କରାଯାଉଛି। ତେବେ ଯେଉଁ ଅଞ୍ଚଳରେ ଲୋକଙ୍କ ପକ୍ଷରୁ ପେଟ୍ରୋଲିଂ ବଢ଼ାଇବାକୁ ଦାବି ହେଉଛି, ସେହି ଅଞ୍ଚଳଗୁଡ଼ିକରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ବଢ଼ାଯିବ ବୋଲି ସେ କହିଛନ୍ତି।
ତେବେ ସୀମାବର୍ତ୍ତୀ ତଥା ଜଙ୍ଗଲାଞ୍ଚଳର ସୁରକ୍ଷା ଦୃଷ୍ଟିରୁ ନିୟମିତ ଓ ସୁଦୃଢ଼ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ