ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକ ମୃତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା-ଜମନକିରା ରୋଡ୍ର ପତ୍ରାପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାମରା ପଟୁ କୁଚିଣ୍ଡା ଅଭିମୁଖେ ଯାଉଥିବା ‘ନେହା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ (OD 14 U 7313) ପତ୍ରାପାଲି ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ଯାତ୍ରୀଙ୍କୁ ଜୋରଦାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉକ୍ତ ଯୁବକ ଗୁରୁତର ଆହତ ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ପରୁଆଭାଡ଼ି ପଞ୍ଚାୟତ ସାନ ଜଟିଆପାଲି ଗ୍ରାମର ବିକ୍ରମ ବାଦୀ ବୋଲି ଚିହ୍ନଟ ହୋଇଛି। ସେ କୌଣସି କାର୍ଯ୍ୟ ଉପଲକ୍ଷେ ପତ୍ରାପାଲି ଆସି ରାସ୍ତା କଡ଼ରେ ଛିଡ଼ା ହୋଇ ଗାଡ଼ିକୁ ପ୍ରତୀକ୍ଷା କରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଖବର ପାଇ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

