Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଚାପ, ଆର୍ଥିକ ଅନାଟନ ନା ପିସି କାରବାର ? ରହସ୍ୟ ଭେଦିବ କି ପୋଲିସ୍ ?

ବଲାଙ୍ଗୀର,୨୧।୯: ବଲାଙ୍ଗୀର ବନାଞ୍ଚଳ କାର୍ଯ୍ୟାଳୟର ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଂପୃକ୍ତ ରେଞ୍ଜ କାର୍ଯ୍ୟାଳୟ ପଛପଟେ ଥିବା ଷ୍ଟାଫ୍ କ୍ୱାର୍ଟରରୁ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ରହସ୍ୟଜନକ ଭାବେ ଜବତ ହେବା ପରେ, ଜଣେ କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ଅଧିକାରୀଙ୍କ ଏଭଳି ଆତ୍ମହତ୍ୟା ପଛର କାରଣକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଘଟଣାରେ ମୃତକ ଫରେଷ୍ଟରଙ୍କ ବଡ଼ ପୁଅ ଓ ଭାଇ ଶୁକଦେବ ସାହୁଙ୍କ ଅଭିଯୋଗ ଅନୁଯାୟୀ, ବ୍ୟାସଦେବ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅତ୍ୟଧିକ ଚାପଗ୍ରସ୍ତ ଥିଲେ। ପିସି କାରବାର ଓ ବିଭାଗୀୟ ନିର୍ଯାତନା ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ପରିବାର ଲୋକେ ଦାବି କରିଛନ୍ତି।
ଏପରିକି ଉକ୍ତ ଘଟଣାରେ ଅନ୍ୟ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଏହି ଘଟଣାରେ ମୃତକ ଫରେଷ୍ଟର ୨ ବର୍ଷ ତଳେ ଦେଓଗାଁ ରେଞ୍ଜରେ ସଦର ଫରେଷ୍ଟର ଥିବା ସମୟରେ ବ୍ୟାସଦେବ ଚାରାରୋପଣ, ବୋରୱେଲ୍ ଖନନ ଓ ନିର୍ମାଣ କାର୍ଯ୍ୟ କରିଥିଲେ। ହେଲେ ତତ୍କାଳୀନ ଦେଓଗାଁ ରେଞ୍ଜର ଓ ବଲାଙ୍ଗୀର ଡିଏଫଓ ମିଶି ସେହି କାମର ବିଲ୍ ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି।
ବିଲ୍ ନମିଳିବାରୁ ଶ୍ରମିକଙ୍କ ମଜୁରି ଦେବା ପାଇଁ ସେ ବାଧ୍ୟ ହୋଇ ମଝିଆ ଭାଇଙ୍କଠାରୁ ୨ ଲକ୍ଷ, ସାନ ଭାଇଙ୍କଠାରୁ ୨୦ ହଜାର, ଶଳା ରତନ ପାତ୍ରଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ମାଗିବା ସହ ସାଙ୍ଗସାଥୀଙ୍କ ଠାରୁ ମୋଟା ଅଙ୍କର ଧାର କରିଥିଲେ।
ନିକଟରେ ଧାର ଶୁଝି ନପାରିବାରୁ ତାଙ୍କର ଏକ ଚେକ୍ ବାଉନ୍ସ ହୋଇଥିଲା ଏବଂ ଓକିଲଙ୍କ ଜରିଆରେ ତାଙ୍କ ନିକଟକୁ ଲିଗାଲ୍ ନୋଟିସ୍ ମଧ୍ୟ ଆସିଥିବା ଜଣାପଡ଼ିଛି।
ମୃତ ଫରେଷ୍ଟରଙ୍କ ଜଣେ ନିକଟତର ବନ୍ଧୁଙ୍କ କହିବା ଅନୁଯାୟୀ, ବଲାଙ୍ଗୀର ଡିଏଫଓ ତାଙ୍କୁ ୩ ରୁ ୪ ଲକ୍ଷ ଟଙ୍କା ପିସି ମାଗିଥିଲେ। ଟଙ୍କା ନଦେଲେ ଆଜି ଅର୍ଥାତ୍ ୨୧।୦୯।୨୦୨୬ ତାରିଖରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବ ବୋଲି ଧମକ ମିଳିଥିଲା। ଲୋକଲଜ୍ଜା ଭୟ ଓ ମାନସିକ ଚାପ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଏସବୁ ସାଂଘାତିକ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଅଧିକାରୀ । ବଲାଙ୍ଗୀର ଡିଏଫଓ ଅଜିତ୍ ବିଶି କହିଛନ୍ତି, “ମୁଁ କେବେ ହେଲେ ତାଙ୍କୁ କୌଣସି କୈଫିୟତ୍ ତଲବ କରିନାହିଁ। ଫରେଷ୍ଟରଙ୍କୁ ନିଲମ୍ବନ କରିବାର କ୍ଷମତା ଡିଏଫଓଙ୍କ ନାହିଁ, ତାହା ଆରସିସିଏଫ୍ (RCCF) କରିଥାନ୍ତି। ସେ ଜଣେ ସଚ୍ଚୋଟ ଅଧିକାରୀ ଥିଲେ।”
ଅନ୍ୟପକ୍ଷରେ ବିଲ୍ ହଡ଼ପ ଅଭିଯୋଗକୁ ନେଇ ତତ୍କାଳୀନ ଦେଓଗାଁ ରେଞ୍ଜର ଯୁଧିଷ୍ଠିର ଜାଲ ଙ୍କୁ ପଚାରିବାରୁ ଅଭିଯୋଗକୁ ଏଡ଼ାଇ ଦେଇ ସେ କହିଛନ୍ତି, “ବ୍ୟାସଦେବ ଜଣେ ସଚ୍ଚୋଟ ସହକର୍ମୀ ଥିଲେ। ଏହି ମାମଲାର ନିରପେକ୍ଷ ତଦନ୍ତ ହେବା ଦରକାର।”
ମୃତ ବ୍ୟାସଦେବ ସାହୁ ଜଣେ ସାହସୀ ଓ ଦକ୍ଷ ଅଧିକାରୀ ଭାବେ ପରିଚିତ ଥିଲେ। କାଠ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ପୂର୍ବରୁ ଅନେକ ଥର ବିଭାଗୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ଜଣେ ଏଭଳି ସଫଳ ଅଧିକାରୀଙ୍କ ମୃତ୍ୟୁ ପଛରେ ଆର୍ଥିକ ଚାପ ରହିଛି ନା କୌଣସି ଗୁପ୍ତ ଷଡ଼ଯନ୍ତ୍ର, ତାହାର ନିରପେକ୍ଷ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories