ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ପଛରେ ପିଟି ହେଲା ଦୁଲଦୁଲି ଗାଡ଼ି, ଜଣେ ମୃତ ଓ ୧୦ ଆହତ
ଜମନକିରା : ୫୩ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରକ୍ ପଛପଟେ ଏକ ଦୁଲଦୁଲି (DJ) ବାଦ୍ୟଯନ୍ତ୍ର ବୋଝେଇ ଗାଡ଼ି ପିଟି ହୋଇଯିବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯ ରୁ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ ଦୁଲଦୁଲି ଗାଡ଼ିରେ ପ୍ରାୟ ୩୦ ଜଣ ବାଦ୍ୟକାର ଥିଲେ। ଯାତ୍ରା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ରହିଥିବା ଟ୍ରକ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ଏବଂ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଘଟଣାସ୍ଥଳରେ ଜମନକିରା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇଟି ଯାକ ଗାଡ଼ିକୁ ନିଜ ହେପାଜତକୁ ନେଇଛି। ଏହି ଘଟଣାକୁ ନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମୃତକଙ୍କ ପରିଚୟ ଖୋଜିବା ସହ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

