Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ଘଟଣା ! କୌଣସି ବଦଭ୍ୟାସ ନଥିବା ଫରେଷ୍ଟରଙ୍କୁ କାହିଁକି ସଦାବେଳେ ଲୋଡ଼ା ପଡ଼ୁଥିଲା ଟଙ୍କା ? ୪୮ ଘଣ୍ଟା ପରେ ବି ଖୋଲିନି ଗୁମର ।

ବଲାଙ୍ଗୀର,୨୨।୦୯: ବଲାଙ୍ଗୀର ବନାଞ୍ଚଳ କାର୍ଯ୍ୟାଳୟର ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ହେଁ ମୃତ୍ୟୁ ପଛର ପ୍ରକୃତ କାରଣକୁ ନେଇ ସସପେନ୍ସ ବଜାୟ ରହିଛି। ଜଣେ ନିଷ୍ଠାପର, ଦକ୍ଷ ଏବଂ ନିରବ୍ୟସନୀ ଅଧିକାରୀଙ୍କ ଏଭଳି କରୁଣ ଅନ୍ତ ସମଗ୍ର ଜିଲ୍ଲାରେ ଗଭୀର ଶୋକ ଓ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ମୃତକଙ୍କ ବଡ଼ ପୁଅ, ଭାଇ ଶୁକଦେବ ସାହୁ ଏବଂ ନିକଟତର ବନ୍ଧୁମାନଙ୍କ ଅଭିଯୋଗ ଅନୁଯାୟୀ, ବ୍ୟାସଦେବ ବିଭାଗୀୟ ଉଚ୍ଚାଧିକାରୀଙ୍କ ମାନସିକ ନିର୍ଯାତନା ଏବଂ ‘ପିସି’ ଦାବି ଯୋଗୁଁ ଅତ୍ୟଧିକ ଚାପଗ୍ରସ୍ତ ଥିଲେ। ୨ ବର୍ଷ ତଳେ ଦେଓଗାଁ ରେଞ୍ଜରେ ସଦର ଫରେଷ୍ଟର ଥିବା ସମୟରେ ହୋଇଥିବା ଚାରାରୋପଣ, ବୋରୱେଲ୍ ଖନନ ଓ ନିର୍ମାଣ କାର୍ଯ୍ୟର ବିଲ୍ ହଡ଼ପ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶ୍ରମିକଙ୍କ ମଜୁରି ସୁଝିବା ପାଇଁ ସେ ନିଜ ଭାଇ, ଶଳା ଏବଂ ସାଙ୍ଗସାଥୀଙ୍କଠାରୁ ଲକ୍ଷାଧିକ ଟଙ୍କା ଧାର କରିବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ପୂର୍ବରୁ ବଲାଙ୍ଗୀର ଡିଏଫ୍ଓଙ୍କ ପକ୍ଷରୁ ତାଙ୍କୁ ଚାକିରିରୁ ନିଲମ୍ବନର ଧମକ ଯୋଗୁଁ ସେ ମାନସିକ ସାମ୍ୟତା ହରାଇଥିବା କୁହାଯାଉଛି।
ଅପରପକ୍ଷରେ, ଏହି ସାଂଘାତିକ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି ବଲାଙ୍ଗୀର ଡିଏଫଓ ଅଜିତ୍ ବିଶି। ସେ କହିଛନ୍ତି ଯେ, ଫରେଷ୍ଟରଙ୍କୁ ନିଲମ୍ବିତ କରିବାର କ୍ଷମତା ଡିଏଫଓଙ୍କ ନାହିଁ । ସେହିପରି ତତ୍କାଳୀନ ଦେଓଗାଁ ରେଞ୍ଜର ଯୁଧିଷ୍ଠିର ଜାଲ ମଧ୍ୟ ବିଲ୍ ହଡ଼ପ ଅଭିଯୋଗକୁ ଅସ୍ଵୀକାର କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ଫରେଷ୍ଟର ଶ୍ରୀ ସାହୁ ଅତ୍ୟନ୍ତ ସାଧାସିଧା ଜୀବନଯାପନ କରୁଥିଲେ। ପାନ, ବିଡ଼ି, ସିଗାରେଟ୍ କିମ୍ବା ମଦ ଭଳି କୌଣସି ବଦଭ୍ୟାସ ତାଙ୍କର ନଥିଲା, ଏପରିକି ସେ ସମ୍ପୂର୍ଣ୍ଣ ନିରାମିଷାସୀ ଥିଲେ। ଏଭଳି ସ୍ଥିତିରେ ତାଙ୍କର ସବୁବେଳେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା କାହିଁକି ପଡ଼ୁଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ।
କାଠ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ଥର ବିଭାଗୀୟ ପୁରସ୍କାର ପାଇଥିବା ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ଏଭଳି ଆତ୍ମହତ୍ୟା ପଛରେ କେବଳ କରଜ ଓ ବିଭାଗୀୟ ଚାପ ରହିଛି ନା କୌଣସି ଗୁପ୍ତ ଷଡ଼ଯନ୍ତ୍ର, ତାହାର ଉଚ୍ଚସ୍ତରୀୟ ତଦନ୍ତ ହୋଇ ସତ୍ୟ ସାମ୍ନାକୁ ଆସିବା ଦରକାର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories