ଇଭିଏମ୍-ଭିଭିପାଟ୍ ଗୋଦାମ ଯାଞ୍ଚ କଲେ ଜିଲ୍ଲାପାଳନିର୍ବାଚନ ସାମଗ୍ରୀର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ତଦାରଖ
ଇଭିଏମ୍-ଭିଭିପାଟ୍ ଗୋଦାମ ଯାଞ୍ଚ କଲେ ଜିଲ୍ଲାପାଳ
ନିର୍ବାଚନ ସାମଗ୍ରୀର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ତଦାରଖ
ଝାରସୁଗୁଡ଼ା, ୨୩/୦୯ (ଓଡ଼ିଶା ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଇଭିଏମ୍ ଓ ଭିଭିପାଟ୍ (VVPAT) ଗୋଦାମର ତ୍ରୈମାସିକ ଯାଞ୍ଚ କରି ନିର୍ବାଚନ ସାମଗ୍ରୀର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ତଦାରଖ କରିଛନ୍ତି।
ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗୋଦାମର ସୁରକ୍ଷା ବ୍ୟବସ୍ଥା, ସିସିଟିଭି ନଜରଦାରୀ, ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଇଭିଏମ୍-ଭିଭିପାଟ୍ର ରକ୍ଷଣାବେକ୍ଷଣ ସ୍ଥିତି ଯାଞ୍ଚ କରା ଯାଇଥିଲା। ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାର ବୈଷୟିକ ଓ ପ୍ରଶାସନିକ ପ୍ରସଙ୍ଗ ତଦାରଖ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମଧ୍ୟ ଯାଞ୍ଚ ସମୟରେ ସାମିଲ କରା ଯାଇଥିଲା। ବିଜେଡି ପକ୍ଷରୁ ରଘୁନନ୍ଦନ ପାଢ଼ୀ ଓ ବିଏସପି ପକ୍ଷରୁ ଅଳିନ୍ଦ୍ର ଚାନ୍ଦ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟା ନିରୀକ୍ଷଣ କରିଥିଲେ। ଗୋଦାମରେ ନିର୍ବାଚନ ସାମଗ୍ରୀର ସୁରକ୍ଷା ବ୍ୟବସ୍ଥା ନେଇ ଉପସ୍ଥିତ ପ୍ରତିନିଧି ମାନେ ସନ୍ତୋଷ ପ୍ରକାଶ କରିଥିଲେ।

