ଜମନକିରା ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ଜମନକିରା : ସ୍ଥାନୀୟ ଜମନକିରା ଡିଗ୍ରୀ କଲେଜ ପରିସରରେ ଆଜି ଜାତୀୟ ସେବା ଯୋଜନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ବୈଠକର ଶୁଭାରମ୍ଭ କରି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନଏସଏସ ସଂଯୋଜକ ତଥା ଅଧ୍ୟାପକ ମନମୋହନ ବାଘ ସୁଚାରୁ ରୂପେ ଆୟୋଜନ ଓ ପରିଚାଳନା କରିଥିଲେ। ଏହି ଅବସରରେ ବରିଷ୍ଠ ଅଧ୍ୟାପକ ପ୍ରଦୀପ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ ମହତ୍ତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, “ଆମେ କେବେ ବି ଏକାକୀ ରହିପାରିବା ନାହିଁ, ସମଗ୍ର ବିଶ୍ୱ ପରସ୍ପର ସହିତ ଯୋଡ଼ି ହୋଇ ରହିଛି।” ସେ ଭାରତର ଗୌରବମୟ ଐତିହ୍ୟ ତଥା ଅତୀତ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏନଏସଏସ ଗଠନ ହେବା ପୂର୍ବରୁ ମଧ୍ୟ ଆମ ଦେଶର ମହାନ ସାଧୁସନ୍ଥମାନେ ନିଃସ୍ୱାର୍ଥପର ସେବା ଓ ତ୍ୟାଗର ଅନନ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି। ତାଙ୍କର ସେହି ଆଦର୍ଶ ହିଁ ଆଜି ଆମ ସମାଜ ସେବାର ମୂଳ ଭିତ୍ତି। ଉକ୍ତ ସଭାରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଏନଏସଏସ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ ହୋଇଥିଲା।

