ସରସ୍ୱତୀ ଶିଶୁ ବିଦ୍ୟାଳୟ ପରିସରରେ ‘ନମାମି ଭାରତମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ: ସାମୂହିକ ‘ବନ୍ଦେ ମାତରମ୍’ ଗାନରେ ପ୍ରକମ୍ପିତ ହେଲା ପରିବେଶ
ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଦେଶାତ୍ମବୋଧ ଓ ରାଷ୍ଟ୍ରଭକ୍ତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭବ୍ୟ ‘ନମାମି ଭାରତମ୍’ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ମଟାରୀ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଓକିଲ ପ୍ରଶାନ୍ତ ପଣ୍ଡା ଜାତୀୟତାର ପ୍ରତୀକ ‘ବନ୍ଦେ ମାତରମ୍’ ଗାନର ଐତିହାସିକ ମହତ୍ତ୍ୱ ଓ ଆଧୁନିକ ଯୁଗରେ ଏହାର ଗୁରୁତ୍ୱ ଉପରେ ଗଭୀର ଆଲୋକପାତ କରିଥିଲେ। ସେହିପରି ବିଦ୍ୟାଳୟର ସଭାପତି ସାଲେକରାମ ପଧାନ ଅଧ୍ୟକ୍ଷତା କରି ରାଷ୍ଟ୍ରୀୟ ଗାନ ‘ବନ୍ଦେ ମାତରମ୍’ର ପୃଷ୍ଠାଭୂମି ଓ ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏହି ସମାବେଶରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ- ଆଚାର୍ଯ୍ୟା, ଗୁରୁଜୀ-ଗୁରୁମା, ଅଭିଭାବକ ତଥା ସେବକ-ସେବିକାମାନେ ସାମିଲ ହୋଇଥିଲେ। ସମୁଦାୟ ୨୦୧ ଜଣଙ୍କ କଣ୍ଠରୁ ନିଃସୃତ ସମବେତ ‘ବନ୍ଦେ ମାତରମ୍’ ଗାନରେ ସମଗ୍ର ବିଦ୍ୟାଳୟ ପ୍ରାଙ୍ଗଣ ଏକ ଅପୂର୍ବ ଦେଶପ୍ରେମର ବାତାବରଣରେ ଉଛୁଳି ପଡ଼ିଥିଲା। ଗୁରୁମା ସସ୍ମିତା ବିଶ୍ୱାଳ ସମଗ୍ର ସଭାକାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଛବିରାଣୀ ଗୁରୁମା ଉପସ୍ଥିତ ସମସ୍ତ ଅତିଥି ତଥା ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗ ଏବଂ ଶୃଙ୍ଖଳା ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।

