ଜମନକିରା କ୍ଷିତି ଜ୍ୟୋତି ଆଶ୍ରମରେ ଠାକୁର ଶ୍ରୀଶ୍ରୀଶ୍ରୀ କେଶବ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ: ହୋମ ପୂର୍ଣ୍ଣାହୁତି ସହ ଉଦ୍ଯାପିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରାସ୍ଥିତ କ୍ଷିତି ଜ୍ୟୋତି ଆଶ୍ରମ ଶାଖା ପରିସରରେ ‘ବିଶ୍ୱ ଭ୍ରାତୃତ୍ୱ ଦିଵ୍ୟାତ୍ମା ପରିଷଦ’ ତଥା ‘ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ’ ଆନୁକୂଲ୍ୟରେ ପରମପୂଜ୍ୟ ଠାକୁର ଶ୍ରୀଶ୍ରୀଶ୍ରୀ କେଶବ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଉତ୍ସବ ଅବସରରେ ପ୍ରତ୍ୟେକ ଦିନ ପ୍ରଭାତ ଓ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ ପୂଜା, ସୂର୍ଯ୍ୟ ପୂଜା, ଅଖଣ୍ଡ ପୂଜା, ଗଣେଶ ପୂଜା ଏବଂ ଠାକୁରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଥିଲା। ଆଜି ବିଧିବଦ୍ଧ ଭାବେ ହୋମ ଯଜ୍ଞ ଓ ପୂର୍ଣ୍ଣାହୁତି ପ୍ରଦାନ ପୂର୍ବକ ଉତ୍ସବର ସାଙ୍ଗତା ତଥା ବିସର୍ଜନ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଏହି ଆଧ୍ୟାତ୍ମିକ ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ସତସଙ୍ଗ, ସନ୍ଧ୍ୟା ଆଳତି, ଶ୍ରୀମଦ୍ ଭାଗବତ ପାଠ, ଚରମ ପାଠ ଏବଂ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା। ଏଥିରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଗୁରୁଭାଇ, ଗୁରୁଭଉଣୀ ତଥା ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥିଲେ।
ଯଜ୍ଞ କର୍ତ୍ତା ଭାବରେ ଆଶ୍ରମର ପରିଚାଳକ ଶ୍ରୀ ଛତୁ କଲେତ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଲିନା ପାତ୍ର କାର୍ଯ୍ୟ ନିର୍ବାହ କରିଥିଲେ। ପୂଜକ ଦୁତିଆ ଏବଂ ନବୀନ ନିଷ୍ଠାର ସହ ଯଜ୍ଞ କର୍ମ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର, ଲଷ୍ମୀ, ପୁଷ୍ପା, ଲକ୍ଷ୍ମଣଙ୍କ ସମେତ ବହୁ ଗୁରୁଭାଇ ଓ ଭଉଣୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଏଥିସହିତ ଜିଲ୍ଲା ସଂଗଠନର ଉପଦେଷ୍ଟା ରବିନାରାୟଣ ମିର୍ଦ୍ଧା, ଆବାହକ ଚିତ୍ରସେନ ଭାଇ ଓ ଜିଲ୍ଲା ଟିମର ପ୍ରତିନିଧିମାନେ ଆଶ୍ରମ ପରିଦର୍ଶନ କରି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

