ଭାତପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ, ମେହେର ସଙ୍ଗୀତ ଓ ସମ୍ବଲପୁରୀ ନୃତ୍ୟ-ଗୀତର ତାଳେ ତାଳେ କବିଙ୍କୁ ଶ୍ରଦ୍ଧାଞ୍ଜଳି
ଜମନକିରା : ସ୍ଥାନୀୟ ଭାତପୁରା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ପ୍ରକୃତି କବି ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତନ ଲାଲ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସୁମଧୁର ମେହେର ସଙ୍ଗୀତ ଓ ପାରମ୍ପରିକ ସମ୍ବଲପୁରୀ ଗୀତ-ନାଚର ତାଳେ ତାଳେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ ମେହେର ସାହିତ୍ୟରେ ପ୍ରକୃତି ଚିତ୍ରଣ, ମାନବୀୟ ମୂଲ୍ୟବୋଧ ଏବଂ ସାମାଜିକ ଚେତନା ଉପରେ ସାରଗର୍ଭକ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ କୁଚିଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ ଏବଂ ଅବସରପ୍ରାପ୍ତ ଶିକ୍ଷକ ବେହେରା ଯୋଗଦେଇ ଓଡ଼ିଆ ସାହିତ୍ୟକୁ ଗଙ୍ଗାଧର ମେହେରଙ୍କ ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରି କବିଙ୍କ ଲେଖନୀର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁବ୍ରତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କୃତ ଶିକ୍ଷୟିତ୍ରୀ ମଧୁମିତା ବହିଦାର କବିଙ୍କ ଜୀବନୀ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ଦୁଇ ଜଣ ଛାତ୍ରୀ ବକ୍ତା ଭାବେ କବିଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ କବି ହର ମୋହନ ପଟେଲ ଓ ନରେନ୍ଦ୍ର ସବୁ ନିଜ ନିଜ ସ୍ୱରଚିତ କବିତା ପାଠ କରି ସଭାସ୍ଥଳକୁ ଆକର୍ଷିତ କରିଥିଲେ। ଶେଷରେ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ବାରିକ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

