ପଲ୍ଲୀ ଭାରତୀ ୟୁଥ୍ କ୍ଲବ୍ ପକ୍ଷରୁ ମହଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର: ୧୩୯ ଜଣ ରୋଗୀ ଉପକୃତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପଲ୍ଲୀ ଭାରତୀ ୟୁଥ୍ କ୍ଲବ୍’ ଆନୁକୂଲ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଜମନକିରା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତ ରାଜୀବ ଭବନ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ କ୍ଲବ୍ର ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ମାର୍ଗଦର୍ଶନରେ ଏହି ଜନହିତକର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜି ଅପରାହ୍ନ ୨ ଘଟିକାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଣି ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥିମାନେ କ୍ଲବ୍ର ଏଭଳି ସମାଜ ମଙ୍ଗଳକାରୀ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ଗ୍ରାମାଞ୍ଚଳରେ ଏହା ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ କୁଚିଣ୍ଡାର ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ସତ୍ୟ ପ୍ରକାଶ ଦୋରା ଏବଂ ତାଙ୍କ ଧର୍ମପତ୍ନୀ ଡାକ୍ତର ଜ୍ୟୋତ୍ସ୍ନାମୟୀ ପ୍ରଧାନ (ସମ୍ପାଦିକା) ଉପସ୍ଥିତ ରହି ସମୁଦାୟ ୧୩୯ ଜଣ ରୋଗୀଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଚାପ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ପରାମର୍ଶ ପ୍ରଦାନ ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ।କ୍ଲବ୍ର ସଭାନେତ୍ରୀ ଗୋମତୀ ଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସୁରୁମନି ସୁନାନୀଙ୍କ ସମେତ କ୍ଲବ୍ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଗ୍ରାମାଞ୍ଚଳର ଏତେ ସଂଖ୍ୟକ ଅବହେଳିତ ଓ ଗରିବ ଲୋକ ଘର ପାଖରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ଜନସାଧାରଣ ଆୟୋଜକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

