ସିନ୍ଧେକେଲାରେ ଲଜ୍ୟା : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଲୀଳ ପ୍ରସ୍ତାବ ଦେଇ ଗଣିତ ଶିକ୍ଷକ ଗିରଫ ।
ବଲାଙ୍ଗୀର,୨୮।୯: ବିଦ୍ୟାଳୟ ଭଲି ପବିତ୍ର ସ୍ଥାନରେ ଶିକ୍ଷକ ଓ ଛାତ୍ରୀ ସମ୍ପର୍କକୁ କଳଙ୍କିତ କରିବା ଭଳି ଏକ ସଂବେଦନଶୀଳ ଘଟଣା ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି। ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅଶ୍ଲୀଳ ପ୍ରସ୍ତାବ ଓ ନିର୍ଯାତନା ଦେବା ଅଭିଯୋଗରେ ସ୍ଥାନୀୟ ସରକାରୀ ହାଇସ୍କୁଲର ଜଣେ ଗଣିତ ଶିକ୍ଷକଙ୍କୁ ପୋଲିସ୍ ଗିରଫ କରିଛି।
ସୂଚନାଯୋଗ୍ୟ, ସିନ୍ଧେକେଲା ଥାନା କୁଶକେଲା ପଞ୍ଚାୟତସ୍ଥିତ ଲିମପରା ସରକାରୀ ହାଇସ୍କୁଲର ଗଣିତ ଶିକ୍ଷକ ଟେକର ସିଂ ମାଝୀ ଦୀର୍ଘ ଦିନ ହେବ ସେହି ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଆସୁଥିଲେ। ବିଭିନ୍ନ ସମୟରେ ଉକ୍ତ ଛାତ୍ରୀଙ୍କୁ ସ୍କୁଲର ଲାଇବ୍ରେରୀ ରୁମ୍କୁ ଡାକି ଶିକ୍ଷକ ଜଣକ ରୋମାନ୍ସ କରିବା ଓ ଚୁମ୍ବନ ଦେବା ପାଇଁ କହିବା ସହ ପ୍ରେମ ନିବେଦନ କରୁଥିଲେ। ଏପରିକି ଗତ ରଥଯାତ୍ରା ସମୟରେ କୌଣସି କାରଣକୁ ନେଇ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ।
ଶିକ୍ଷକଙ୍କ ଏହି ଅସାମାଜିକ ପ୍ରସ୍ତାବ ଓ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ନିଜ ପରିବାର ଲୋକଙ୍କୁ ସମସ୍ତ ବିଷୟ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କ ଅଭିଭାବକ ସିନ୍ଧେକେଲା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ୍ କେସ୍ ନମ୍ବର ୧୯୬/୨୬ ରୁଜୁ କରି ଅଭିଯୁକ୍ତ ଶିକ୍ଷକ ଟେକର ସିଂ ମାଝୀଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି।
ଏହି ମାମଲାର ତଦନ୍ତ ଭାର ଏ.ଏସ୍.ଆଇ (ASI) ଯତୀନ୍ଦ୍ର ପ୍ରଧାନ ଗ୍ରହଣ କରିଥିବା ବେଳେ, ଅଭିଯୁକ୍ତ ଶିକ୍ଷକଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ।

